ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ଦିଲ୍ଲୀ ବିଧାସନଭା ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ଆପ୍ ସରକାର ଦିଲ୍ଲୀର ବୃଦ୍ଧ-ବୃଦ୍ଧାଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବେ । ଏହି ସୁବିଧାର ଲାଭ ୬୦ ବର୍ଷରୁ ଅଧିକ ବୟସର ସମସ୍ତ ବୃଦ୍ଧ-ବୃଦ୍ଧାଙ୍କୁ ମିଳିବ ।
କେଜରିୱାଲ କହିଛନ୍ତି, ଏହି ଯୋଜନା ଆଧାରରେ ସରକାରୀ କିମ୍ବା ଘରୋଇ ହସ୍ପିଟାଲରେ ବୃଦ୍ଧ-ବୃଦ୍ଧାଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ଆପ୍ ପୁନର୍ବାର କ୍ଷମତାକୁ ଆସିବା ପରେ ଏହି ସୁବିଧା ଲାଗୁ ହେବ । ତେଣୁ ନିର୍ବାଚନରେ ଆପକୁ ଆଶୀର୍ବାଦ ଦେବାକୁ ଆପ୍ ସଂଯୋଜକ ଜନତାଙ୍କୁ ଅପିଲ୍ କରିଛନ୍ତି ।
ଆପ୍ ପ୍ରମୁଖ କହିଛନ୍ତି ଯେ, ଆମ ସରକାର ଧନୀ କି ଗରିବ ମଧ୍ୟରେ କୌଣସି ଭେଦଭାବ କରିବେ ନାହିଁ । ସମସ୍ତ ବାର୍ଦ୍ଧକ୍ୟଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ଏଥିପାଇଁ ଶୀଘ୍ର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କରାଯିବ । ସଭିଙ୍କୁ ଆଇକାର୍ଡ ଜାରି କରାଯିବ ।
ଆପ୍ ପ୍ରମୁଖ ଅରବିନ୍ଦ କେଜରିୱାଲ ଆଜି ସକାଳେ ଏକ୍ସରେ ପୋଷ୍ଟ କରି ଲେଖିଥିଲେ ଯେ, ଆଜି ଅପରାହ୍ନ ୧ଟାରେ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଯାଉଛି । ଏହି ଘୋଷଣା ବୁଦ୍ଧ-ବୃଦ୍ଧାଙ୍କୁ ନେଇ ଉଦ୍ଦିଷ୍ଟ । ଦିଲ୍ଲୀ ମଡେଲ ପୁଣି ଥରେ ସଭିଙ୍କ ପାଇଁ ପ୍ରେରଣା ପାଲଟିବ ।