ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ଆଜି ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଡ୍ରାଇଭର ନୃସିଂହଙ୍କୁ ଜେରା କରିବା ପରିବା ସେ କାର୍ଯ୍ୟାଳୟରୁ ଫେରିଛନ୍ତି । ବିଷ୍ଣୁପଦଙ୍କ ଗତିବିଧି ନେଇ ସିବିଆଇ ପଚରାଉଚରା କରିଥିବା ସେ କହିଛନ୍ତି ।
ଡ୍ୟୁଟି ପରେ ବିଷ୍ଣୁପଦ ସେଠୀ କେଉଁଆଡ଼େ ଯାଆନ୍ତି ଏବଂ କାହା ସହ ମିଶନ୍ତି ସେ ନେଇ ପ୍ରଶ୍ନ କରାଯାଇଥିଲା । ସେହିପରି ଡିସେମ୍ବର ୭ ତାରିଖ ସନ୍ଧ୍ୟାରେ କେଉଁଠି ଥିଲେ ସେ ନେଇ ମଧ୍ୟ ଖୋଡ଼ ତାଡ଼ କରାଯାଇଛି । ଡ୍ରାଇଭର କହିଛନ୍ତି କି ସେ ଦିନ ଡ୍ୟୁଟି କରନ୍ତି, ଆଉ ଜଣେ ସନ୍ଧ୍ୟାପରେ ଡ୍ୟୁଟି କରନ୍ତି । କିନ୍ତୁ ୭ ତାରିଖ ଦିନ ଉକ୍ତ ଡ୍ରାଇଭର ଛୁଟି ଥିବାରୁ ନୃସିଂହ ଦୁଇ ବେଳା ଡ୍ୟୁଟି କରିଥିଲେ । ମୋର କୌଣସି ସମ୍ପୃକ୍ତି ନାହିଁ, ଯାହା ଜାଣିଥିଲି ସେଇଟା କହିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ନୃସିଂହଙ୍କ ସହିତ ଆଉ ଦୁଇ ଜଣ ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯାଇଛି ।
ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ । ସରକାର ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଗ୍ରହଣ କରିବେ । ସିଏ ଯେତେ ବଡ଼ ଲୋକ ହୋଇଥିଲେ ମଧ୍ୟ ଦୁର୍ନୀତିରେ ଲିପ୍ତ ଥିବେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପକ୍ଷରେ ସିବିଆଇର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ । ସିବିଆଇ ଯେଉଁ ଉଦ୍ଦେଶ୍ୟରେ ଗଠନ କରାଯାଇଚି ସିବିଆଇ ତାର କାର୍ଯ୍ୟକରୁ, ଆପତ୍ତି ନାହିଁ । କିନ୍ତୁ ଅନେକ ସମୟରେ ଭାରତବାସୀଙ୍କ ଲୋକଙ୍କ ଧାରଣା ହେଲାଣି କେନ୍ଦ୍ରୀୟ ସଂସ୍ଥାର ସଠିକଭାବେ ବିନିଯୋଗ କରାଯାଉ ନାହିଁ । ଯଦି ପ୍ରମାଣ ଅଛି ତାହା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି ଯେ ସିବିଆଇ ହାତରେ ନିଶ୍ଚିତ କିଛି ପ୍ରମାଣ ଥିବ ସେଥିପାଇଁ ଜଣେ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ସମନ କରିଛି । ତେଣୁ ପ୍ରାରମ୍ଭିକ ସମୟରେ କିଛି ପ୍ରତିକ୍ରିୟା ରଖିବା ଉଚିତ୍ ନୁହେଁ ବୋଲି ସେ ମତ ରଖିଛନ୍ତି ।
ଚଳିତ ମାସ ୬ ତାରିଖରେ ଲାଞ୍ଚ କାରବାର ସିବିଆଇ ଏକ ମାମଲା ରୁଜୁ କରିଥିଲା ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ କରିଥିବା ନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହୋଇଥିଲା । ଭୁବନେଶ୍ଵର ,ଭଦ୍ରକ, ଦିଲ୍ଲୀ ଓ କୋଲକାତା ସମେତ ଦେଶର ମୋଟ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଠୋସ୍ ପ୍ରମାଣ ମିଳିବା ପରେ ସିବିଆଇ କମ୍ପାନୀର ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରିଥିଲା । ସିବିଆଇର ୨ଟି ଟିମ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ହୋଟେଲ ମେ ଫେୟାର ଆଗରୁ ଏକ ମର୍ସିଡିଜ୍ ଗାଡ଼ିରେ ୧୦ ଲକ୍ଷ ଟଙ୍କାର ଲାଞ୍ଚକାରବାର ହେଉଥିବାବେଳେ ଧରିଥିଲା ।
ତେବେ ଏହି ମାମଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ସିବିଆଇ ସମନ ଜାରି କରିଛି । ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ୍ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ ୧୦ ଲକ୍ଷ ଟଙ୍କା ନେବା ମାମଲାରେ ସିବିଆଇ ସମନ ଜାରି କରିଛି । ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନରେ ଦର୍ଶାଯାଇଛି । ଆଇଏଏସ ବିଷ୍ଣୁପଦ ସେଠୀ ଏବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ୟ୍ୟ କରୁଛନ୍ତି । ଡିସେମ୍ବର ୧୦ ତାରିଖରେ ଚିଠି ହୋଇଥିବାବେଳେ ୧୧ ତାରିଖରେ ହାଜର ହେବାକୁ କୁହାଯାଇଥିଲା । ମାତ୍ର କୌଣସି ସରକାରୀ କାର୍ଯ୍ୟରେ ସେ ବ୍ୟସ୍ତ ଥିବାରୁ ସିବିଆଇ ନିକଟରେ ହାଜର ହୋଇପାରି ନ ଥିବା ଜଣାପଡ଼ିଛି ।