ଅନୁଗୁଳ: ଅଫିସ୍ ଯାଉଥିବା ସମୟରେ ଟ୍ରକ୍ ଧକ୍କାରେ ଚାଲିଯାଇଛି ଜଣଙ୍କ ଜୀବନ । ଏହା ସହିତ ଜଣେ ଗୁରୁତର ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଟାଉନ ଥାନା ନିକଟ ପ୍ରଶାନ୍ତି ହୋଟେଲ ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ବିକ୍ରମ ରାଉତରାୟ । ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ କରଣବୀର ଗୋପୀ । ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ପ୍ରାପ୍ତ ସୂଚନା ମୁତାବକ, ଶୁକ୍ରବାର ଭୋର ପ୍ରାୟ ୫ଟା ସମୟରେ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ବିକ୍ରମ ରାଉତରାୟ ଓ କରଣବୀର ଗୋପୀ ଅଫିସ ଯିବାକୁ ବାହାରି ଥିଲେ । ଦୁଇ ଜଣ ଅନୁଗୁଳର ଏକ ଘରୋଇ କମ୍ପାନୀରେ କାମ କରନ୍ତି । ତେବେ ପ୍ରଶାନ୍ତି ହୋଟେଲ୍ ନିକଟରେ ରାସ୍ତା ପାର ହେଉଥିବା ସମୟରେ ଏକ ଟ୍ରକ୍ ଦୁଇ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବିକ୍ରମଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଗୁରୁତର କରଣଙ୍କୁ ଜିଲ୍ଲା ମୁଖ୍ୟ ଚିକିସ୍ଚାଳୟରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଫଳରରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲା । ତେବେ ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହିତ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା ।
ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ଘଟଣାର ଯାଞ୍ଚ ଆରମ୍ଭ କରିଛି ।