ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ଜୋରଦାର ହୋଇଛି ପ୍ରସ୍ତୁତି । ତାରିଖ ଘୋଷଣା ସହ ପରୀକ୍ଷା କେନ୍ଦ୍ରର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ୧ହଜାର ୨୭୬ଟି କେନ୍ଦ୍ରରେ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ, ତା’ପୂର୍ବରୁ ଜାନୁୟାରୀ ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ଉତ୍ତର ଖାତା ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ କାଗଜପତ୍ର ପଠାଇବାକୁ ନିଷ୍ପତି ନିଆଯାଇଛି ।
ଉଭୟ ଥିଓରୀ ଓ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଆବଶ୍ୟକୀୟ ଫର୍ମ, ସାଧା ଉତ୍ତର ଖାତା ଏବଂ ପ୍ରାକ୍ଟିକାଲ ପରୀକ୍ଷାର ପ୍ରଶ୍ନପତ୍ର ଓ ମାର୍କ ଫୁଏଲ୍ ସିଏଚ୍ଏସଇ ମୁଖ୍ୟାଳୟରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପଠାଯିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।
ଡିସେମ୍ବର ୨୩ରୁ ୩୧ ତାରିଖ ମଧ୍ୟରେ ପରୀକ୍ଷା କେନ୍ଦ୍ରଗୁଡିକରେ ସମସ୍ତ କାଗଜପତ୍ର ପହଞ୍ଚିବ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ତଥା ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ପରିଷଦ ପକ୍ଷରୁ ପଠାଯାଇଥିବା ପ୍ରଶ୍ନପତ୍ର ଓ ସାଧା ଉତ୍ତର ଖାତା ଗୁଡ଼ିକୁ ଭଲଭାବେ ଗଣି ରଖିବା ଦିଗରେ ପଦକ୍ଷେପ ନେବେ । ଯଦି କୌଣସି ସ୍ଥାନରେ ପରୀକ୍ଷାର୍ଥୀ ସଂଖ୍ୟା ଠାରୁ ଉତ୍ତର ଖାତା କିମ୍ବା ପ୍ରଶ୍ନପତ୍ର କମ୍ ରହିଥିବ ତାହେଲେ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କୁ ଏନେଇ ଅବଗତ କରାଇବେ । ସେହିପରି ପରୀକ୍ଷା କେନ୍ଦ୍ରର ଷ୍ଟ୍ରଙ୍ଗରୁମରେ ସିସିଟିଭି ନଜରରେ ପ୍ରଶ୍ନପତ୍ର କିଭଳି ରହିବ ସେ ଦିଗରେ ପଦକ୍ଷେପ ନେବେ ।
ଫେବୃୟାରୀ ୧୮ରୁ ଆରମ୍ଭ ହେବାକୁ ଥିବା ଥିଓରି ପରୀକ୍ଷା ଲାଗି ଇତିମଧ୍ୟରେ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଚୟନ ଶେଷ ହୋଇଛି । ଯେଉଁ ମାଧ୍ୟମିକ ବିଦ୍ୟାଳୟ ତଥ ଯୁକ୍ତ ୨ କଲେଜରେ ପରୀକ୍ଷା କେନ୍ଦ୍ର କରାଯାଇଛି, ସେଠାକାର ଅଧ୍ୟକ୍ଷ ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ରହିଛନ୍ତି । ଯେଉଁ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିକଟ ସମ୍ପର୍କୀୟ ଯଥା ପୁଅ, ଝିଅ, ସ୍ୱାମୀ, ପତ୍ନୀ, ଭାଇ, ଭଉଣୀ, ବାପା, ମା ସମ୍ପୃକ୍ତ କେନ୍ଦ୍ରରେ ପରୀକ୍ଷା ଦେଉଥିବେ, ସେଠାରେ ସମ୍ପୃକ୍ତ କଲେଜର ବରିଷ୍ଠ ଅଧ୍ୟାପକଙ୍କୁ ସୁପରିଟେଣ୍ଡେଣ୍ଟ ଭାବେ ଚୟନ କରାଯାଇଛି । ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ ଡେପୁଟି ସୁପରିଟେଣ୍ଡେଣ୍ଟ ରହିଛନ୍ତି ।
ଅଧିକ ପଢନ୍ତୁ: ଆସିଲା ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ରିପୋର୍ଟ, ମାନବିକ ତ୍ରୁଟି ଯୋଗୁଁ ଯାଇଥିଲା ୧୩ ପ୍ରାଣ