ଜଗତସିଂହପୁର: ଲଘୁଚାପ ପ୍ରଭାବରୁ ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳରେ କୋହଲା ପାଗ ସହ ଝିପିଝିପି ବର୍ଷ ଲାଗି ରହିଛି। ଅଦିନିଆ ଲଘୁଚାପ ଘନୀଭୂତ ବର୍ଷାକୁ କୋହଲା ପାଗ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ଜଗତସିଂହପୁର ଜିଲ୍ଲାରେ ଚଳିତ ବର୍ଷ ଧାନ ଭଲ ହୋଇଥିଲା ବେଳେ ଗତ ବାତ୍ୟା ଦାନା ପ୍ରଭାବରେ ଚାଷୀ ମାନଙ୍କ ଚାଷ ନଷ୍ଟ ହୋଇ ନଥିଲା।
ମାତ୍ର ଅମଳ ସମୟରେ ଏବେ ରାଜ୍ୟରେ ପୁଣି ଏକ ଲଘୁଚାପ ବର୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ। ଲଘୁଚାପ କୋହଲା ପାଗ ଓ ବର୍ଷା ନେଇ ଚାଷୀମାନେ ବିଲରୁ ଧାନ ତରବରିଆ ଭାବେ କାଟି ଆଣୁଥିବା ଦେଖିବା ପାଇଁ ମିଳିଛି। କିଛି ଚାଷୀ ଧାନ ନେଇ ଯାଇ ନିଜ ଖଳାରେ ପଲ ଘୋଡାଇ ରଖିବାକୁ ଉଦ୍ୟମ କରୁଥିବା ବେଳେ ଆଉ କିଏ ଧାନ ବିଲେରେ ଗଦା ମାଡୁଛନ୍ତି।
ଜଗତସିଂହପୁର ଜିଲ୍ଲାର ୭୦ଭାଗ ଲୋକ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ୮୨ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ ହେଉଛି। ତେବେ ଝିପି ଝିପି ବର୍ଷା ଲାଗି ରହିଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ଯଦି ବର୍ଷା ଏହିଭଳି ଭାବେ ଲାଗି ରହେ ତାହାଲେ ସୁନା ରଙ୍ଗ ଭଳି ଦିଶୁଥିବା ଧାନ କଳା ପଡ଼ିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ବର୍ଷ ଧାନ ମଣ୍ଡିରେ ଧାନର ମାନ ଯାଞ୍ଚ ହେବାକୁ ଥିବାବେଳେ ଏହି ଲଗାଣ ବର୍ଷା ଚାଷୀ ପାଇଁ ଦୁଃଖର କାରଣ ପାଲଟିଛି।