ନୂଆଦିଲ୍ଲୀ: ଡିସେମ୍ବର ୧୯ରେ ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ରୁଜୁ ଦୁଇଟି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ବିଜେପି ସାଂସଦଙ୍କ ଅଭିଯୋଗକ୍ରମେ ଗୁରୁବାର ଦିଲ୍ଲୀ ପୋଲିସ୍ ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏବେ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ପୂରା ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।
ବିଜେପିର ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ୍ ରାହୁଲ ଗାନ୍ଧୀଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ଦଫା ଲଗାଇ ମାମଲା କରିଥିଲା।
ଗୁରୁବାର ସଂସଦରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ଲୋକସଭା ଭିତରକୁ ଯାଉଥିଲେ। ଏହି ସମୟରେ ପ୍ରବେଶ ପଥର ପାହାଚରେ ବିଜେପି ସାଂସଦମାନେ ବିକ୍ଷୋଭ କରୁଥିଲେ। ଦୁଇ ପକ୍ଷ ସାଂସଦ ଗୋଟିଏ ସ୍ଥାନରେ ପହଞ୍ଚିବାରୁ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।।
ଏହି ସମୟରେ ରାହୁଲ ଗାନ୍ଧୀ ୬୯ ବର୍ଷୀୟ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ ବିଜେପିର ଅନ୍ୟ ଜଣେ ସାଂସଦ ମୁକେଶ ରାଜପୁତ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେମାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କର।ଯାଇଥିଲା।