ଚଣ୍ଡିଗଡ: ଇଣ୍ଡିଆନ ନ୍ୟାସନାଲ ଲୋକଦଳର ପ୍ରମୁଖ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କ ଶୁକ୍ରବାର ପରଲୋକ ଘଟିଛି । ସେ ଗୁରୁଗ୍ରାମ ସ୍ଥିତ ନିଜ ବାସଭବନରେ ୮୯ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଚୌଟାଲାର ହରିୟାଣାର ଚାରି ମୁଖ୍ୟମନ୍ତ୍ରୀ ରହିଥିଲେ ।
ଓମ ପ୍ରକାଶ ଚୌଟାଲା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀ ଲାଲଙ୍କ ପୁଅ । ହରିୟାଣା ରାଜନୀତିରେ ସେ ଜଣେ ବରିଷ୍ଠ ଚେହେରା ଥିଲେ । ତାଙ୍କର ଦୁଇ ପୁଅ ଓ ତିନି ଝିଅ ଅଛନ୍ତି । ଦୁଇ ପୁଅ ଅଭୟ ସିଂ ଚୌଟାଲା ଓ ଅଜୟ ସିଂ ଚୌଟାଲା ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି । ଓମ ପ୍ରକାଶଙ୍କ ନାତି ଦୁଷ୍ୟନ୍ତ ସିଂ ଚୌଟାଲା ହରିୟାଣାର ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ ।
ଚୌଟାଲା ପ୍ରଥମ ଥର ୧୯୮୯ ଡିସେମ୍ବର ୨ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୭୧ ଦିନ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ଏହା ପରେ ୧୯୯୦ ଜୁଲାଇ ୧୨ରେ ପାଞ୍ଚ ଦିନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ । ପୁଣି ୧୯୯୧ ମାର୍ଚ୍ଚ ୨୨ରୁ ୧୫ ଦିନ ଧରି ରାଜ୍ୟର ଶାସନ ସମ୍ଭାଳିଥିଲେ । ଓମ ପ୍ରକାଶ ଚୌଟାଲା ପୁଣି ୧୯୯୯ ଜୁଲାଇ ୨୪ରୁ ୨୦୦୦ ମସିହା ମାର୍ଚ୍ଚ ୨ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ ସେ ୨୦୦୫ ପର୍ଯ୍ୟନ୍ତ ପ୍ରଥମ ଥର ପାଞ୍ଚ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ ।
ଓମ ପ୍ରକାଶ ଚୌଟାଲାଙ୍କ ବାପା ଚୌଧୁରୀ ଦେବୀ ଲାଲ ଦୁଇ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ଥିଲେ । ବର୍ତ୍ତମାନ ମଧ୍ୟ ଚୌଟାଲା ପରିବାରଙଯକ ତୃତୀୟ ପିଢି ହରିୟାନା ରାଜନୀତିରେ ସକ୍ରିୟ । ତାଙ୍କ ପୁଅ ଅଜୟ ଜନନାୟକ ଜନତା ପାର୍ଟି(ଜେଜେପି) ଗଠନ କରିଛନ୍ତି । ଅନ୍ୟପୁଅ ଅଭୟ ଭାଇ ଅଜୟଙ୍କ ସହ ପାର୍ଟି କାମ ସମ୍ଭାଳୁଛନ୍ତି । ନିକଟରେ ସଂପନ୍ନ ନିର୍ବାଚନରେ ଆଇଏନଏଲଡି ଓ ଜେଜେପି ଦୁଇ ଦଳକୁ ଜୋରଦାର ଝଟକା ଲାଗିଛି ।