ଭାରତୀୟ ମୁଦ୍ରାର ମୂଲ୍ୟାୟନ ହ୍ରାସ ପାଇବାରେ ଲାଗିଛି । ଆମେରିକୀୟ ମୁଦ୍ରା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଛି । ନିୟମିତ ଭାବେ ଦୁର୍ବଳ ହେଉଥିବା ଟଙ୍କା ଗୁରୁବାର ଆହୁରି ଦୁର୍ବଳ ହୋଇ ରେକର୍ଡ ଭାବେ ନିମ୍ନସ୍ତରକୁ ଖସିଆସିଛି । ଭାରତରେ ଗୋଟିଏ ଡଲାର ଦେବା ଲାଗି ଏବେ ଗଣିବାକୁ ପଡୁଛି ୮୫ ଟଙ୍କା । ଟଙ୍କାର ଏଭଳି ସ୍ଥିତି ଦେଖିବା ପରେ ଆଗକୁ ଏହା ଭାରତର ଅର୍ଥନୀତି ପ୍ରତି ଏକ ବଡ଼ ବିପଦ ଟାଣୁଥିବା ନେଇ ଆଶଙ୍କା କରାଯାଉଛି । ଡଲାର ମହଙ୍ଗା ହୋଇଥିବା ହେତୁ ବିଦେଶରେ ପାଠପଢା, ଆମଦାନୀ କରାଯାଉଥିବା ସମସ୍ତ ଜିନିଷ ଓ ବିଦେଶ ଭମ୍ରଣ ଏବେ ମହଙ୍ଗା ହେବ ।
ସମଗ୍ର ବିଶ୍ୱରେ ଆମେରିକୀୟ ଡଲାର ଶକ୍ତିଶାଳୀ ହେଉଛି । ଏହାର ପ୍ରଭାବରେ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି । କେବଳ ଏହି କାରଣ ନୁହେଁ, ଦେଶର ଅର୍ଥନୀତି ଆଶାନୁରୂପ ପ୍ରଦର୍ଶନ ନ କରିପାରିବ, ଷ୍ଟକ୍ ବଜାରରେ ଅସ୍ଥିରତା, ବିଦେଶୀ ନିବେଶକ ମାନେ ପାଣ୍ଠି ପ୍ରତ୍ୟାହାର କରି ନେବା, ରପ୍ତାନୀ ତୁଳନାରେ ଆମାଦାନୀ ଅଧିକ ହେଉଥିବା ହେତୁ ଟଙ୍କା ଉପରେ ଚାପ ରହୁଛି । ଏହାବ୍ୟତୀତ ତେଲ ଓ ସୁନା କିଣିବାରେ ବିପୁଳ ବିଦେଶୀ ମୁଦ୍ରା ବ୍ୟୟ ହେଉଛି । ସେଥିଲାଗି ଭଣ୍ଡାରରୁ ବିପୁଳ ଡଳାର ବାହାର କରାଯାଉଛି । ରପ୍ତାନୀ କମ୍ ରହିବା ହେତୁ ଅଧିକ ବିଦେଶୀ ମୁଦ୍ରା ଦେଶକୁ ଆସିପାରୁନାହିଁ । ଯାହାଫଳରେ ଯେଉଁ ସୀମିତ ପରିମାଣର ଡଲାର ବଜାରରେ ଉପଲବ୍ଧ ରହିଛି, ତାହାକୁ ଅଧିକ ଦାମ୍ରେ କିଣିବାକୁ ଆମଦାନିକାରୀ ଓ ବ୍ୟବସାୟୀ ମାନେ ବାଧ୍ୟ ହେଉଛନ୍ତିି ।
ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କ ଆଭିମୁଖ୍ୟ କଣ ରହିବ ତାକୁ ନେଇ ଚାହିଁରହିଛି ସାରା ବିଶ୍ୱ । କାରଣ ଡଲାରକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ମୁଦ୍ର କରି ରଖିବାକୁ ସଂକଳ୍ପ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ସେଥିପାଇଁ ସେ ବିଭିନ୍ନ ଦେଶ ଉପରେ ଅଧିକ ଟିକସ ଲଗାଇବାକୁ କହିଛନ୍ତି ।