ହ୍ରାଇଦ୍ରାବାଦ: ଘରକୁ ଆସିଥିବା ପାର୍ସଲରୁ ମିଳିଲା ଗଳିତ ମୃତଦେହ । ଆଉ ସେଥିରୁ ମିଳିଥିଲା ଏକ ଚିଠି । ଯେଉଁଥିରେ ଟଙ୍କା ଦେବାକୁ ଦାବି କରାଯାଇଛି । ଏଭଳି ଏକ ଲୋମ ହର୍ଷଣକାରୀ ଖବର ଆସିଛି ଆନ୍ଧ୍ର ପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଉଣ୍ଡିମଣ୍ଡଲ ୟେଣ୍ଡାଗଣ୍ଡି ଗ୍ରାମରୁ । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।
ପଶ୍ଚିମ ଗୋଦାବରୀ ଜିଲ୍ଲାର ତୁଲସୀ ନାଗା ଏକ ଘର ନିର୍ମାଣ କରିବାକୁ ଚାହିଁଥିଲେ । ତାଙ୍କ ପାଖରେ ଆବଶ୍ୟକୀୟ ଅର୍ଥ ନ ଥିବାରୁ କ୍ଷେତ୍ରୀୟ ସେବା ସମିତିକୁ ସାହାଯ୍ୟ କରିବାକୁ ଏକ ଚିଠି ଲେଖିଥିଲେ । ସମିତି ମହିଳାଙ୍କ ଘରକୁ ପ୍ରଥମେ ଟାଇଲ୍ସ ପଠାଇଥିଲେ । ତୁଲସୀ ପୁଣି ଥରେ ଆଉ ଗୋଟିଏ ଚିଠି ଲେଖିଥିଲେ ପୁନର୍ବାର ସାହାଯ୍ୟ କରିବାକୁ । କ୍ଷେତ୍ରୀୟ ସମିତି କିଛି ବିଦ୍ୟୁତ ସାମଗ୍ରୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କୁ ଲାଇଟ୍, ଫ୍ୟାନ୍, ବଲ୍ବ, ଏବଂ ସୁଇଚ୍ ଇତ୍ୟାଦି ଦେବାକୁ କହିଥିଲେ ।
ଗୁରୁବାର ରାତିରେ ଜଣେ ବ୍ୟକ୍ତି ମହିଳାଙ୍କ ଘରେ ଏକ ବଡ଼ ପାର୍ସଲ୍ ଦେଇକି ଆସିଥିଲେ ଏବଂ କହିଥିଲେ ଏଥିରେ ବିଦ୍ୟୁତ ଉପକରଣ ଅଛି । ତୁଲସୀ ଯେତେବେଳେ ପାର୍ସଲ ଖୋଲିଥିଲେ ସେତେବେଳେ ସେ ତାକୁ ଦେଖି ହତବାକ ହୋଇଯାଇଥିଲେ । ପାର୍ସଲ ଭିତରୁ ତାଙ୍କୁ ଏକ ଅଜଣା ଗଳିତ ମୃତ ଦେହ ମିଳିଥିଲା । ସେଥିରେ ଏକ ଚିଠି ମଧ୍ୟ ମିଳିଥିଲା ଏବଂ ଚିଠିରେ ଏକ କୋଟି ୩୦ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଛି ।
ମହିଳାଙ୍କ ପରିବାର ପକ୍ଷରୁ ପୋଲିସକୁ ଏ ବାବଦରେ ତୁରନ୍ତ ଖବର ଦିଆଯାଇଥିଲା । ପୋଲିସ ସେଠାରେ ପହଁଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମୃତ ଦେହଟି ୪-୫ ଦିନ ତଳର ହୋଇଥିବାବେଳେ ଉକ୍ତ ବ୍ୟକ୍ତିର ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏସପି ଆଦନାନ ନୟିମ ଆସମୀ ମଧ୍ୟ ମହିଳାଙ୍କ ଘରକୁ ଯାଇ ପଚରାଉଚରା କରିଛନ୍ତି । କ୍ଷେତ୍ରୀୟ ସେବା ସମିତି ସଭ୍ୟଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି ।