ନୂଆଦିଲ୍ଲୀ: ଶୁକ୍ରବାର ଶେଷ ହୋଇଥିବା ଶୀତ ଅଧିବେଶନରେ ସଂସଦରେ ଅନେକ ଘଟଣା ଦୁର୍ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପଟେ ଗଣନ୍ତ୍ରଣର ପବିତ୍ର ମନ୍ଦିରରେ ରକ୍ତ ଛିଟା ପଡ଼ିଥିବାବେଳେ ଅନ୍ୟ ପଟେ ବ୍ୟାଗ୍ ରାଜନୀତି ଦେଖିବାକୁ ମିଳିଛି । ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନବେଳେ ପେଲାଠେଲାରେ ଶାସକ ଦଳର ଦୁଇ ସାଂସଦ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ସାଂସଦକୁ ପାଲେଷ୍ଟାଇନ୍ ବ୍ୟାଗ ଧରି ଆସିଥିବା ନୂତନ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଜି ବ୍ୟାଗ୍ ମାଧ୍ୟମରେ ଆଇନା ଦେଖାଇଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏକ ସ୍ୱତନ୍ତ୍ର ବ୍ୟାଗ ଉପହାର ଦେଇଛନ୍ତି । ଯାହାକି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଉକ୍ତ ବ୍ୟାଗରେ ଲେଖାଯାଇଛି ‘୧୯୮୪’ ଏବଂ ସେଥିରେ ନାଲି ରଙ୍ଗରେ ରକ୍ତର ଛିଟା ଦିଆଯାଇଛି । ଯାହା ୧୯୮୪ରେ ଘଟିଥିବା ଶିଖ୍ ବିରୋଧୀ ଦଙ୍ଗାକୁ ସୂଚାଉଛି ।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ମାନନୀୟା ସାଂସଦ (ପ୍ରିୟଙ୍କା ଗାନ୍ଧୀ ଭଦ୍ରା)ଙ୍କୁ ବ୍ୟାଗ୍ ବହୁତ ପସନ୍ଦ । ସେଥିପାଇଁ ମୁଁ ତାଙ୍କୁ ୧୯୮୫ ଲେଖାଥିବା ଗୋଟେ ବ୍ୟାଗ୍ ଉପହାର ଦେଇଛି । ସେ ପ୍ରଥମେ ଏହାକୁ ନେବାକୁ କୁଣ୍ଠାବୋଧ କରିଥିଲେ । ମାତ୍ର ପରେ ଗ୍ରହଣ କରିଥିଲେ । ଏହା ସହିତ ସେ ଆହୁରି କହିଛନ୍ତି ଯେ ଆଜିର ଯୁବପୀଢ଼ୀ ୫୦ ବର୍ଷ ତଳେ କଂଗ୍ରେସ କଣ କରିଥିଲା ତାହା ସମସ୍ତେ ଜାଣିବା ଦରକାର ।
ନୂଆ ନୂଆ ସଂସଦରେ ପାଦ ଥାପି ଥିବା ପ୍ରିୟାଙ୍କା ଗାନ୍ଧୀ ଗୋଟିଏ ଦିନ ପାଲେଷ୍ଟାଇନ୍ ଚିତ୍ର ଥିବା ବ୍ୟାଗ୍ ନେଇକି ଆସିଥିଲେ । ଏହା ପରେ ଗୋଟାଏ ଦିନ ବାଂଲାଦେଶ ହିଂସାକୁ ନେଇ ଆଉ ଗୋଟିଏ ବ୍ୟାଗ୍ ଧରିକି ଆସିଥିଲେ ।