ଭୁବନେଶ୍ୱର: କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବାହାରିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ୧୦ ଘଣ୍ଟାର ରେଡ୍ ପରେ ନୟାପଲ୍ଲୀ ସ୍ଥିତ ଘରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଧରି ବାହାରିଲା ଟିମ୍ । ତେବେ ଇଡି ରେଡ୍ ନେଇ ନିରଞ୍ଜନଙ୍କ ପକ୍ଷରୁ ଏ ଯାଏ କୌଣସି ପ୍ରତିକ୍ରିୟା ମିଳିପାରିନି ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢଉ କରିଥିଲା । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନ ସମେତ ଇଡି ତିନୋଟି ସ୍ଥାନରେ ଚଢଉ କରିଥିଲା । ତେବେ କେଉଁ କାରଣ ପାଇଁ କଂଗ୍ରେସର ଏହି ବରିଷ୍ଠ ନେତାଙ୍କ ଘରେ ଇଡି ଚଢଉ କରିଛି ତାହା ଜଣା ପଡିନି । ଏହି ଘଟଣା ରାଜ୍ୟ ରାଜନୀତିରେ ଚହଳ ପକାଇଛି ।
ତେବେ ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ବିରୋଧରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟାରେ ଇଡିର ୮ରୁ ୧୦ ଅଧିକାରୀ କଂଗ୍ରେସର ଏହି ପୂର୍ବତନ ରାଜ୍ୟ ସଭାପତିଙ୍କ ଘର ଉପରେ ଚଢଉ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ନିରଞ୍ଜନଙ୍କ ଘର ଚାରିପଟେ ସିଆରପିଏଫ ମୁତୟନ କରାଯାଇଥିଲା ।