ଭୁବନେଶ୍ଵର : ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ଶୁକ୍ରବାର ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବର୍ଷାର ପ୍ରଭାବରେ ଶୀତ ସାମାନ୍ୟ ହାସ ପାଇଛି। ବଙ୍ଗୋପସାଗର ରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସାମାନ୍ୟ ଉତ୍ତର ଆଡକୁ ଗତିକରିବା ସହ ଆଜି ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର ରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅବପାତ ରେ ପରିଣତ ହେବାରେ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ କୋହଲା ପାଗ ସହ କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଚାଷୀମାନେ ଧାନ କଟାରେ ବ୍ୟସ୍ତ ଥିବାବେଳେ କିଛି ଚାଷୀ ଧାନ କାଟି ବିଲରେ ଗଦା କରି ପକାଇଛନ୍ତି। ବର୍ଷା ଯୋଗୁ ଚାଷୀ ଆଖିରୁ ନିଦ ହଜିଗଲାଣି। ଆସନ୍ତା ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବାରୁ ଧାନ ନଷ୍ଟ ହେବା ନେଇ ଚାଷୀଙ୍କୁ ଚିନ୍ତା ଘାରିଲାଣି ।