ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମନ ଜାରି କରିଛି । ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ୍ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ ୧୦ ଲକ୍ଷ ଟଙ୍କା ନେବା ମାମଲାରେ ସିବିଆଇ ସମନ ଜାରି କରିଛି । ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନରେ ଦର୍ଶାଯାଇଛି ।
ଆଇଏଏସ ବିଷ୍ଣୁପଦ ସେଠୀ ଏବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ୟ୍ୟ କରୁଛନ୍ତି । ଡିସେମ୍ବର ୧୦ ତାରିଖରେ ଚିଠି ହୋଇଥିବାବେଳେ ୧୧ ତାରିଖରେ ହାଜର ହେବାକୁ କୁହାଯାଇଥିଲା । ମାତ୍ର କୌଣସି ସରକାରୀ କାର୍ଯ୍ୟରେ ସେ ବ୍ୟସ୍ତ ଥିବାରୁ ସିବିଆଇ ନିକଟରେ ହାଜର ହୋଇପାରି ନ ଥିବା ଜଣାପଡ଼ିଛି ।
ପୂର୍ବରୁ ବିଷ୍ଣୁପଦଙ୍କ ଡ୍ରାଇଭରମାନଙ୍କ ତାଲିକା ମାଗିଥିଲା ସିବିଆଇ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ବିଷ୍ଣୁପଦଙ୍କ ଏକାଧିକ ଡ୍ରାଇଭର ରହିଛନ୍ତି । ସେମାନଙ୍କ ନାମ, ମୋବାଇଲ ନମ୍ବର ଆଦି ଦେବାକୁ ଉଲ୍ଲେଖ କରାଯିବା ସହିତ ଡ୍ରାଇଭରଙ୍କୁ ମଧ୍ୟ ସିବିଆଇରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା ।
ଚଳିତ ମାସ ୬ ତାରିଖରେ ଲାଞ୍ଚ କାରବାର ସିବିଆଇ ଏକ ମାମଲା ରୁଜୁ କରିଥିଲା ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ କରିଥିବା ନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହୋଇଥିଲା । ଭୁବନେଶ୍ଵର ,ଭଦ୍ରକ, ଦିଲ୍ଲୀ ଓ କୋଲକାତା ସମେତ ଦେଶର ମୋଟ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଠୋସ୍ ପ୍ରମାଣ ମିଳିବା ପରେ ସିବିଆଇ କମ୍ପାନୀର ଜେନେରାଲ ମ୍ୟାନେଜର ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ ସିବିଆଇର ୨ଟି ଟିମ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ହୋଟେଲ ମେ ଫେୟାର ଆଗରୁ ଏକ ମର୍ସିଡିଜ୍ ଗାଡ଼ିରେ ୧୦ ଲକ୍ଷ ଟଙ୍କାର ଡିଲ ହେଉଥିବା ବେଳେ ଧରିଥିଲା ।