ଥିରୁବନନ୍ତପୁରମ: ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ ଫଳାଫଳ ପରେ ସରକାର ଗଠନ ପ୍ରକ୍ରିୟା ଜୋର ଧରିଛି। ପଶ୍ଚିମବଙ୍ଗରେ ବିଜେପିର ଶୁଭେନ୍ଦୁ ଅଧିକାରୀ ଏବଂ ତାମିଲନାଡୁରେ ଥାଲାପଥି ବିଜୟ ଶପଥ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ କେରଳରେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା। କେରଳରେ କଂଗ୍ରେସ ନିର୍ବାଚନ ଜିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଭିତରେ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି।
କାହିଁକି ଅଟକିଛି ମୁଖ୍ୟମନ୍ତ୍ରୀ ଘୋଷଣା?
କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ (UDF) ବହୁମତ ପାଇଛି, କିନ୍ତୁ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଦଳୀୟ ନେତା ଓ ସହଯୋଗୀ ଦଳ ମଧ୍ୟରେ ମତଭେଦ ଦେଖାଦେଇଛି। ସୂତ୍ର ଅନୁଯାୟୀ, କଂଗ୍ରେସର ଅଧିକାଂଶ ବିଧାୟକ କେ.ସି. ବେଣୁଗୋପାଳଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ଅନ୍ୟପଟେ, ଦଳର ସହଯୋଗୀ 'ମୁସଲିମ୍ ଲିଗ୍' ଭି.ଡି. ସତିଶନଙ୍କ ନାମକୁ ସମର୍ଥନ କରୁଛି। ଏହି ଦ୍ୱନ୍ଦ୍ୱ ଯୋଗୁଁ ସରକାର ଗଠନରେ ବିଳମ୍ବ ହେଉଛି।
ବିଧାୟକଙ୍କ ଅଭିଯୋଗ: ଗୋପନୀୟତା ଉପରେ ପ୍ରଶ୍ନ
ଏହି ବିବାଦ ସେତେବେଳେ ଜୋର ଧରିଥିଲା, ଯେତେବେଳେ ଉଡୁମା ଆସନରୁ ନିର୍ବାଚିତ ବିଧାୟକ କେ. ନୀଳକାନ୍ତନ ଏକ ସାଂଘାତିକ ଅଭିଯୋଗ ଆଣିଲେ। ତାଙ୍କ କହିବା ଅନୁଯାୟୀ, ବିଧାୟକ ଦଳ ବୈଠକରେ ତାଙ୍କର ପସନ୍ଦକୁ ଲୁଚାଯାଇଛି କିମ୍ବା ସଠିକ ଭାବେ ଦର୍ଶାଯାଇ ନାହିଁ। ସେ ଏହି ସମ୍ପର୍କରେ ଏଆଇସିସି ପର୍ଯ୍ୟବେକ୍ଷକ ମୁକୁଲ ଓ୍ୱାସନିକ ଏବଂ ଅଜୟ ମାକନଙ୍କୁ ଇମେଲ୍ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
କିଏ ଅଛନ୍ତି ରେସ୍ରେ ?
ବର୍ତ୍ତମାନ କେରଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ତିନୋଟି ପ୍ରମୁଖ ଚେହେରାଙ୍କ ମଧ୍ୟରେ ଲଢ଼େଇ ଚାଲିଛି।ତିନି ଚେହେରା ହେଉଛି କେ.ସି. ବେଣୁଗୋପାଳ, ଯିଏ ହାଇକମାଣ୍ଡଙ୍କ ପ୍ରିୟ ଏବଂ ଅଧିକାଂଶ ବିଧାୟକଙ୍କ ସମର୍ଥନ। ଭି.ଡି. ସତିଶନ ମଧ୍ୟ ଦୌଡ଼ରେ ଅଛନ୍ତି। ସେ ସହଯୋଗୀ ଦଳର ପସନ୍ଦ। ତୃତୀୟ ବ୍ୟକ୍ତି ହେଉଛନ୍ତି ଦଳର ଜଣେ ବରିଷ୍ଠ ନେତା ରମେଶ ଚେନ୍ନିଥାଲା।
ଖଡ଼ଗେ ନେବେ ଚୂଡ଼ାନ୍ତ ନିଷ୍ପତ୍ତି
ପରିସ୍ଥିତି ଜଟିଳ ହେଉଥିବା ଦେଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ନିଜେ ଏହି ବିବାଦ ସମାଧାନ କରିବାକୁ ମଇଦାନକୁ ଓହ୍ଲାଇଛନ୍ତି। ଆଶା କରାଯାଉଛି ଯେ, ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ତେବେ କଂଗ୍ରେସର ଏହି ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ବିରୋଧୀମାନେ ସମାଲୋଚନା କରିବା ଆରମ୍ଭ କଲେଣି।