ଖବର ଓଡ଼ିଶା: ମହାରାଷ୍ଟ୍ର ଟ୍ରେନି ଆଇଏଏସ୍ ପୂଜା ଖେଡ଼କରଙ୍କୁ ଶକ୍ତ ଝଟକା ଲାଗଛି। । କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସସି) ବିବାଦରେ ଛନ୍ଦି ହୋଇଥିବା ପୂଜା ଖେଡ଼କରଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍ ମନୋନୟନକୁ ବାତିଲ କରିଛନ୍ତି । ଏଥିସହ ତାଙ୍କୁ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷାରୁ ବଞ୍ଚିତ କରାଯାଇଛି । ସେ ଭବିଷ୍ୟତରେ ଆଉ ୟୁପିଏସ୍ସି ପରୀକ୍ଷା ଦେଇ ପାରିବେ ନାହିଁ । ପରିଚୟ ପତ୍ରରେ ଜାଲିଆତି କରି ସେ ଏକାଧିକ ଥର ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁପିଏସସି ।
ବୁଧବାର ୟୁପିଏସସି ପୂଜା ଖେଡକରଙ୍କ ପ୍ରାର୍ଥୀପତ୍ର ବାତିଲ କରିଛି । ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କୁ ପଦରୁ ବହିଷ୍କୃତ କରାଯାଇଛି । ତାଙ୍କୁ ଭବିଷ୍ୟତର ସମସ୍ତ ପରୀକ୍ଷା ଏବଂ ଚୟନରୁ ବଂଚିତ କରାଯାଇଛି । ୟୁପିଏସସି ଉପଲବ୍ଧ ରେକର୍ଡଗୁଡିକୁ ଯତ୍ନର ସହ ଯାଞ୍ଚ କରି ଜାଣିବାକୁ ପାଇଛି ଯେ ସେ CSE-2022 ନିୟମ ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି । CSE-2022 ପାଇଁ ତାଙ୍କର ଅସ୍ଥାୟୀ ପ୍ରାର୍ଥୀତ୍ୱକୁ ବାତିଲ କରାଯାଇଛି ଏବଂ ୟୁପିଏସସିର ଭବିଷ୍ୟତର ସମସ୍ତ ପରୀକ୍ଷା ଓ ଚୟନରୁ ତାଙ୍କୁ ସ୍ଥାୟୀଭାବେ ବଂଚିତ କରାଯାଇଛି ।
ୟୁପିଏସସି ପୂଜାଙ୍କ ବିଷୟରେ କିଛି ଜାଣି ପାରି ନ ଥିଲା କାରଣ, ତାଙ୍କ ପରୀକ୍ଷାରେ ଦେବାର ସୀମା ସରିଯିବା ପରେ ସେ ଜାଲିଆତି କରି ନିଜର ପରିଚୟ ବଦଳାଇ ପରୀକ୍ଷା ଦେଇଥିଲେ । ଏପରିକି ସେ ତାଙ୍କ ନାମ, ପିତାଙ୍କ ନାମ, ମାତାଙ୍କ ନାମ, ଫଟୋ ଏବଂ ଦସ୍ତଖତ ବଦଳାଇ ଦେଇଥିଲେ । ଏହା ବ୍ୟତୀତ ମୋବାଇଲ୍ ନମ୍ବର, ଇମେଲ୍ ଆଡି ଏବଂ ଠିକଣା ମଧ୍ୟ ବଦଳାଇ ଦେଇଥଲେ । ଭୁଲ୍ ଭାବରେ ଏକ ନୂତନ ପରିଚୟ ପତ୍ର ତିଆରି କରି ପରୀକ୍ଷା ଦେବାର ସୁଯୋଗ ପାଇଥିଲେ ।
ମହାରାଷ୍ଟ୍ରର ପୁନେରେ ପୂଜା ଖେଡ଼କରଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । ଆଇଏଏସ୍ ଅଧିକାରୀ ପୂଜା ଖେଡକର ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଅଲଗା କ୍ୟାବିନ, କାର ଏବଂ କର୍ମଚାରୀଙ୍କ ଦାବି କରିଥିଲେ । ଜିଲ୍ଲାପାଳ ଆଇଏଏସ ସୁହାସ ଦିବାସେଙ୍କ ନିକଟରେ ସେ ଅନେକ ଥର ସ୍ବତନ୍ତ୍ର ସୁବିଧା ଦାବି କରିଥିଲେ । ମାତ୍ର ତାଲିମ ନେବା ସମୟରେ ତାଙ୍କୁ ଏପରି ସୁବିଧା ପ୍ରଦାନ କରାଯାଇପାରିବ ନାହିଁ । ଏହା ପରେ ଜିଲ୍ଲାପାଳ ପୂଜାଙ୍କ ଏହି ଦାବି ଗୁଡିକ ସମ୍ପର୍କରେ ମହାରାଷ୍ଟ୍ରର ମୁଖ୍ୟ ସଚିବଙ୍କୁ ଅବଗତ କରାଇଥିଲେ । ସିଭିଲ ସେବା ପରୀକ୍ଷା ଚୟନ ବେଳେ ସେ ପଛୁଆ ବର୍ଗ (OBC) ଓ ବିକଳାଙ୍ଗ ସମ୍ବନ୍ଧିତ କୋଟା ପାଇବା ଲାଗି କିଛି ନକଲି ସାର୍ଟିଫିକେଟ ପ୍ରସ୍ତୁତ କରିଥିଲେ ।