ବେଙ୍ଗାଲୁରୁ: କଂଗ୍ରେସର କର୍ଣ୍ଣାଟକ ସରକାର ଠିକାଦାରୀରେ ମୁସଲିମଙ୍କୁ ୪ ପ୍ରତିଶତ ସଂରକ୍ଷଣର ପ୍ରାବଧାନ କରିଛି । ଏହାକୁ ବିଜେପି ତୀବ୍ର ବିରୋଧ କରିଛି । ପୁଣି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବୟାନ ପରେ ରାଜନୀତି ଜୋର ଧରିଛି । ଏହାକୁ ନେଇ ଆଜି ସଂସଦର ଉଭୟ ଗୃହରେ ଝଡ ସୃଷ୍ଟି ହୋଇଛି । ଡିକେ ଶିବକୁମାର କହିଥିଲେ ଯେ, ଏହି ନିଷ୍ପତ୍ତି ମୁସଲିମଙ୍କୁ ସଂରକ୍ଷଣ ଦେବା ଦିଗରେ ଏକ ବଡ ପଦକ୍ଷେପ । ଆମେ ଭବିଷ୍ୟତରେ ମୁସଲିମଙ୍କୁ ସଂରକ୍ଷଣ ଦେବା ପାଇଁ ସମ୍ବିଧାନରେ ମଧ୍ୟ ସଂଶୋଧନ କରି ପାରୁ । ତାଙ୍କର ଏହି ବୟାନକୁ ନେଇ ସଂସଦରେ ଝଡ ସୃଷ୍ଟି ହେବା ସହ ରାଜ୍ୟସଭାରେ ଖୁବ ହଙ୍ଗାମା ଦେଖିବାକୁ ମିଳିଛି ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, କଂଗ୍ରେସ ନେତାଙ୍କ କହିବା କଥା ଆବଶ୍ୟକ ପଡିଲେ ଆମେ ସମ୍ବିଧାନରେ ସଂଶୋଧନ କରିବୁ । ଏମିତି ବୟାନ ସେହି ନେତା ଦେଇଛନ୍ତି, ଯିଏ ସାମ୍ବିଧାନିକ ପଦରେ ବସିଛନ୍ତି । ରିଜିଜଙ୍କୁ ଜବାବ ଦେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, କଂଗ୍ରେସ ହେଉଛି ସେହି ଦଳ ଯିଏ ସମ୍ବିଧାନର ରକ୍ଷା କରିଛି ।
ଏହା ଉପରେ ରିଜିଜୁ ପୁଣି କହିଛନ୍ତି, ଆପଣଙ୍କ ଉପମୁଖ୍ୟମନ୍ତ୍ରୀ କହୁଛି ଯେ, ସମ୍ବିଧାନ ବଦଳାଇ ଦେବେ । କଂଗ୍ରେସ ଖୁଲମଖୁଲା କହୁଛି ଯେ, ତାଙ୍କ ଦଳ ମୁସଲିମଙ୍କ ସଂରକ୍ଷଣ ପାଇଁ ସମ୍ବିଧାନ ବଦଳାଇ ଦେବ । ଆଜି ସେହି ଲୋକ ଗଲେ କୁଆଡେ, ଯେଉଁମାନେ ସମ୍ବିଧାନ ବଞ୍ଚାଇବାର କଥା କହୁଛନ୍ତି । ଏବେ ସେମାନେ ବିଆର ଆମ୍ବେଦକରଙ୍କ ମଧ୍ୟ ଅପମାନ କରୁଛନ୍ତି । ଡିକେ ଶିବକୁମାରଙ୍କ ବୟାନକୁ ନେଇ ଲୋକସଭାରେ ମଧ୍ୟ ଖୁବ ହଟ୍ଟଗୋଳ ଦେଖିବାକୁ ମିଳିଛି । ପ୍ରଭାବରେ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।