ଦୁବାଇ ଏୟାର ଶୋ’ରେ ଉଡ଼ାଣ ପ୍ରଦର୍ଶନ ବେଳେ ଜଳିଗଲା ଭାରତର ଯୁଦ୍ଧ ବିମାନ ତେଜସ୍। ଆକାଶରେ ରଣକୌଶଳ ଦେଖାଇବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ୍ ନିୟନ୍ତ୍ରଣ ହରାଇ ତଳେ ପଡ଼ିଗଲା ତେଜସ୍। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଖବର ଏଜେନ୍ସି ଏପି ରିପୋର୍ଟ କରିଛି ଯେ ଶୁକ୍ରବାର ଦୁବାଇ ସମୟ ଅପରାହ୍ନ ୨:୧୦ ଏବଂ ଭାରତୀୟ ସମୟ ଅପରାହ୍ନ ୩:୪୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ତେଜସ୍ ପାଇଲଟ୍ ବାହାରକୁ ବାହାରି ପାରିଥିଲେ କି ନାହିଁ ତାହା ଏବେ ଯାଏ ସ୍ପଷ୍ଟ ହୋଇପାରିନି। ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ବିମାନଟିରେ ନିଆଁ ଲାଗିଯାଇଥିଲା ଏବଂ ବିମାନବନ୍ଦର ଉପରେ କଳା ଧୂଆଁର ଆସ୍ତରଣ ଦେଖାଯାଇଥିଲା।
ଦୁର୍ଘଟଣା ପରେ, ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାର କାରଣ ତଦନ୍ତ ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରିଛି। ଏହା ବାୟୁସେନାର ତେଜସ୍ ଜେଟ୍ ଦୁର୍ଘଟଣାର ଦ୍ୱିତୀୟ ଘଟଣା। ପୂର୍ବ ଘଟଣା ୨୦୨୪ ମସିହାରେ ରାଜସ୍ଥାନର ପୋଖରାନରେ ଏକ ଯୁଦ୍ଧାଭ୍ୟାସ ସମୟରେ ଇଞ୍ଜିନ୍ ବିଫଳତା ଯୋଗୁଁ ଦୁର୍ଘଟଣା ଘଟିଥିଲା।
ଦୁବାଇ ଏୟାର ଶୋ ହେଉଛି ଅନ୍ତର୍ଜାତୀୟ ବିମାନର ଏକ ପ୍ରଦର୍ଶନୀ। ବିଶ୍ୱର ପ୍ରମୁଖ ଏରୋସ୍ପେସ୍ କମ୍ପାନୀ, ଏୟାରଲାଇନ୍ସ, ବାୟୁସେନା ଏବଂ ପ୍ରଯୁକ୍ତିବିଦ୍ୟା ଫାର୍ମଗୁଡ଼ିକ ସେମାନଙ୍କର ନୂଆ ବିମାନ, ହେଲିକପ୍ଟର, ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ଏରୋସ୍ପେସ୍ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରୁଛନ୍ତି। ଆଜି (ଶୁକ୍ରବାର) ପାଞ୍ଚ ଦିନିଆ ଏୟାର ଶୋର ଶେଷ ଦିନ ଥିବା ବେଳେ ଭାରତୀୟ ବାୟୁସେନାର ଲଢୁଆ ବିମାନ ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଅଧିକ ପଢନ୍ତୁ: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ; ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର