ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରିଛି। ଜାରି ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଦୁଇଟି ସ୍ଥାନ ଫାଇଦା ମିଳିଛି। ରୋହିତ ୭୫୬ ରେଟିଂ ପଏଣ୍ଟ ସହ ବିରାଟ କୋହଲିଙ୍କୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। କୋହଲି ୭୩୬ ଅଙ୍କ ସହିତ ପଞ୍ଚମ ସ୍ଥାନକୁ ଖସିଛନ୍ତି।
ଭାରତୀୟ ଦଳର ଓପନିଂ ବ୍ୟାଟର ଶୁଭମନ ଗିଲ୍(୭୮୪ ପଏଣ୍ଟ) ଶୀର୍ଷରେ ରହିଥିଲେ ହେଁ ତାଙ୍କୁ ୭ ପଏଣ୍ଟ କ୍ଷତି ସହିବାକୁ ପଡ଼ିଛି। ପାକିସ୍ତାନର ବାବର ଆଜମ(୭୭୦ ପଏଣ୍ଟ) ଦ୍ଵିତୀୟ ଓ ଦକ୍ଷିଣ ଆଫ୍ରିକାର ହେନରିକ କ୍ଲାସେନ(୭୪୪ ପଏଣ୍ଟ) ଚତୁର୍ଥ ସ୍ଥାନରେ ରହିଛନ୍ତି। ଟପ୍-୧୦ ବ୍ୟାଟରେ ତିନି ଭାରତୀୟ ରହିଥିବା ବେଳେ ଶ୍ରେୟସ ଆୟର(୭୦୪) ଅଷ୍ଟମ ସ୍ଥାନରେ ରହିଛନ୍ତି। ଏହି ମଧ୍ୟକ୍ରମ ବ୍ୟାଟର ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ୨୪୩ ରନ କରିଛନ୍ତି। ନ୍ୟୁଜିଲାଣ୍ଡର ଡେରିଲ ମିଚେଲ୍ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ଷଷ୍ଠ, ରଚିନ ରବୀନ୍ଦ୍ର ୧୪ଟି ସ୍ଥାନ ଉପରକୁ ଉଠି ୧୪ତମ ଓ ଗ୍ଲେନ ଫିଲିପ୍ସ ୬ଟି ସ୍ଥାନ ଉଠି ୨୪ତମ ସ୍ଥାନରେ ପହଞ୍ଚିଛନ୍ତି।
ବୋଲିଂ ମାନ୍ୟତାରେ ଭାରତର ସ୍ପିନର କୁଲଦୀପ ଯାଦବ ୬୫୦ ପଏଣ୍ଟ ସହ ଟପ୍-୫ରେ ପ୍ରବେଶ କରିଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ୭ ଓ୍ଵିକେଟ୍ ଅକ୍ତିକାର କରିଥିବା କୁଲଦୀପ ଷଷ୍ଠରୁ ତୃତୀୟ ସ୍ଥାନକୁ ଉଠିଛନ୍ତି। ଶ୍ରୀଲଙ୍କାର ସ୍ପିନର ମହେଶ ତୀକ୍ଷଣା(୬୮୦) ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ନ୍ୟୁଜିଲାଣ୍ଡର ଅଧିନାୟକ ସ୍ପିନର ମିଚେଲ୍ ସାଣ୍ଟନର(୬୫୭) ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ସେ ଚାମ୍ପିଅନ୍ସ ଟ୍ରଫିରେ ୯ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଟପ୍-୧୦ ବୋଲର ତାଲିକାରେ ଭାରତର ଦୁଇ ଜଣ ବୋଲର ରହିଛନ୍ତି। ରବୀନ୍ଦ୍ର ଜାଡେଜା ୬୧୬ ଅଙ୍କ ସହିତ ଦଶମ ସ୍ଥାନରେ ରହିଛନ୍ତି।
ଅଧିକ ପଢନ୍ତୁ: ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ପଦ ସମ୍ଭାଳିବେ ନାହିଁ କେ ଏଲ୍ ରାହୁଲ