ପଶ୍ଚିମବଙ୍ଗ: ବହୁଚର୍ଚ୍ଚିତ କୋଲକତା ଅଭୟା ମାମଲାରେ ଆସିଲା ରାୟ । ଆରଜି କର ମେଡିକାଲର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ସଞ୍ଜୟ ରାୟ । ଶନିବାର କୋଲକତାର ସିଆଲଦା କୋର୍ଟ ସଞ୍ଜୟଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ତେବେ ଅଭିଯୁକ୍ତର କଣ ରହିବ ଦଣ୍ଡ ତାହା ସୋମବାର ଦିନ ଜଣାପଡିବ । ସମ୍ଭବତଃ କୋର୍ଟ ତାକୁ ଫାଶୀ ଦଣ୍ଡାଦେଶ କିମ୍ବା ଆଜୀବନ କାରାଦଣ୍ଡ ଶୁଣାଇପାରନ୍ତି ।
ତେବେ ଏହି ମାମଲାରେ କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ବିଏନଏସ୍ ଧାରା ୬୪, ୬୬, ୧୦୩/୧ ଲଗାଯାଇଛି। ଏହି ମାମଲାର ଶୁଣାଣୀ ୯ ଜାନୁୟାରୀରେ ଶେଷ ହୋଇଥିଲେ । ଏଥିରେ ୫୦ ଜଣ ସାକ୍ଷୀଙ୍କୁ ପଚରାଉଚରା କରାଯାଇଛି ।
ସୂଚନା ମୁତାବିକ, ୯ ଅଗଷ୍ଟ ୨୦୨୪ ସକାଳେ ଉତ୍ତର କୋଲକାତାର ସରକାରୀ ମେଡିକାଲ କଲେଜ ଆର୍.ଜି କରରେ ଜଣେ ପ୍ରଶିକ୍ଷିତ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା । ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ରହିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ ସଞ୍ଜୟ ।
ଡାକ୍ତରୀ ମହିଳା ଜଣକ ଘଟଣାଦିନ ହସ୍ପିଟାଲର ସେମିନାର ରୁମକୁ ଯାଇ ସେଠାରେ ବିଶ୍ରାମ ନେଉଥିବା ବେଳେ ଏଭଳି କାଣ୍ଡ କରିଥିଲା ସେହି କଲେଜରେ ସିକ୍ୟୁରିଟି ଭାବେ କାର୍ଯ୍ୟରତ ଥିବା ସଞ୍ଜୟ ରାୟ । ଏପରିକି ସେ ପୋଲିସ ମିତ୍ର ଭାବେ ଦିଲ୍ଲୀ ପୋଲିସକୁ ସାହାଯ୍ୟ କରୁଥିଲା। ଘଟଣା ସାମ୍ନାକୁ ଆସିବା ପରେ ଯଦିଓ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା କିନ୍ତୁ ପ୍ରତିବାଦ ଜୋରଦାର ହେଉଥିଲା ।
ଘଟଣାଦିନ ପ୍ରଥମେ ସେ ପୀଡିତାଙ୍କୁ ଦୁଷ୍କର୍ମ ଏବଂ ପରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ଆର୍.ଜି କର ମେଡିକାଲ କଲେଜ ପ୍ରଥମେ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲା, କିନ୍ତୁ ପରେ ସତ ସାମ୍ନାକୁ ଆସିଥିଲା । ସାରା ଦେଶରେ ଏଥିପାଇଁ ଆନ୍ଦୋଳନ ତୀବ୍ର ହୋଇଥିଲା, ଡାକ୍ତରମାନେ ଧର୍ମଘଟକୁ ଓହ୍ଳାଇଥିଲେ ।