ମଧ୍ୟପ୍ରଦେଶ: କେନ୍ଦ୍ର ସରକାର ଦେଶବାସୀଙ୍କ ପାଇଁ ବହୁତ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମହିଳାଙ୍କ ସଶକ୍ତିକରଣକୁ ପୋତ୍ସାହିତ କରିବା ପାଇଁ କେନ୍ଦ୍ରର ରହିଛି ଅନେକ ଯୋଜନା । ବିଭିନ୍ନ ରାଜ୍ୟ ମଧ୍ୟ ଏଥିରେ ଭାଗ ନେଇ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି କ୍ରମରେ ଏବେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମହିଳାଙ୍କ ପାଇଁ ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରାଯାଇଛି ।
ମଧ୍ୟପ୍ରଦେଶର ମୋହନ ସରକାର ଓ କେନ୍ଦ୍ର ସରକାର କର୍ମଜୀବି ମହିଳାଙ୍କ ପାଇଁ ରାଜ୍ୟରେ ଆରମ୍ଭ କରିଛନ୍ତି ୱାକିଂ ୱେମନ୍ ହଷ୍ଟେଲ ଯୋଜନା । ଏହି ଯୋଜନା ମାଧ୍ୟମରେ ଘରଠୁ ଦୂରରେ ରହି ଚାକିରୀ କରୁଥିବା ମହିଳାଙ୍କୁ ଶସ୍ତା ଏବଂ ସୁରକ୍ଷିତ ଭାବେ ଘର ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶର ଜବଲପୁର ଓ ଗ୍ୱାଲିୟରରେ ଏହି ଯୋଜନା ଏବେ କାର୍ଯ୍ୟକାରୀ ହୋଇଛି ।
ଜବଲପୁରରେ କର୍ମଜୀବି ମହିଳାଙ୍କ ପାଇଁ କୋଟିଏ ଟଙ୍କା ବ୍ୟୟରେ ଏକ ହଷ୍ଟେଲ ନିର୍ମାଣ କରାଯାଉଛି, ଯେଉଁଥିରେ ଡାଇନିଂ ରୁମ୍, ଲାଇବ୍ରେରୀ, ଜିମ୍ ଓ ଗ୍ୟାଡେନ୍ ସୁବିଧା ରହିଛି । କମ୍ ଦାମରେ ରହିବା, ଖାଇବାର ସୁବିଧା ପାଇପାରିବେ କର୍ମଜୀବି ମହିଳା । ତେବେ ଜବଲପୁର ଓ ଗ୍ୱାଲିୟର ପରେ ଇନ୍ଦୋର, ଉଜ୍ଜୟନୀରେ ବି କର୍ମଜୀବି ମହିଳାଙ୍କ ପାଇଁ ଏହି ହଷ୍ଟେଲ ଯୋଜନା କାର୍ଯ୍ୟକାରୀ ହେବ । ଅନେକ ସମୟରେ ଦେଖାଦେଇଛି ମହିଳା କର୍ମଜୀବିଟିଏ ଚାକିରିରେ ବଦଳି ହୋଇ ଅନ୍ୟ ଜାଗାକୁ ଗଲେ ତାଙ୍କୁ ରହିବାରେ ସହଜରେ ଘର ମିଳିନଥାଏ । ହେଲେ ମଧ୍ୟପ୍ରଦେଶରେ ମୋହନ ସରକାରଙ୍କ ଏ ଯୋଜନା ଜରିଆରେ ରାଜ୍ୟର ମହିଳା କର୍ମଜୀବି ବିଶେଷ ଲାଭବାନ୍ ହେବେ ।