ନୂଆଦିଲ୍ଲୀ: ସରକାର ଆସିଲେ ଭଡ଼ାଟିଆଙ୍କୁ ବି ମିଳିବ ସରକାରୀ ସୁବିଧା । ଭଡ଼ାଟିଆଙ୍କୁ ଦେବାକୁ ପଡ଼ିବନି ବିଜୁଳି ବିଲ୍ କି ପାଣି ବିଲ୍ । ଭଡ଼ାରେ ରହୁଥିବା ଲୋକଙ୍କୁ ମାଗଣାରେ ପାଣି ଓ ବିଜୁଳି ଦେବ ଆମ୍ ଆଦମୀ ପାର୍ଟୀ ସରକାର । ଏ ନେଇ ଶନିବାର ଘୋଷଣା କରିଛନ୍ତି ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ।
ବିଧାନସଭା ନିର୍ବାଚନ ପୂର୍ବରୁ ଆଉ ଗୋଟିଏ ଥୋପ ପକାଇଛି ଆପ୍ ଦଳ । ଅରବିନ୍ଦ କେଜ୍ରିୱାଲ ଘୋଷଣା କରି କହିଛନ୍ତି ଯେ ଦିଲ୍ଲୀରେ ରହୁଥିବା ଭଡ଼ାଟିଆଙ୍କୁ ମାଗଣାରେ ପାଣି ଓ ବିଜୁଳି ମିଳୁ ନାହିଁ । ତେଣୁ ତାଙ୍କ ଦଳ ସରକାରକୁ ଆସିଲେ ମାଗଣାରେ ବିଜୁଳି ଓ ପାଣି ଯୋଗାଇବେ । ଏହି ଯୋଜନାରେ ପୂର୍ବାଞ୍ଚଳ ଲୋକ ଉପକୃତ ହେବେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ବିଜେପି ତାର ପ୍ରଥମ ସଂକଳ୍ପ ପତ୍ର ଜାରି କରିଛି । ଯେଉଁଥିରେ ବରିଷ୍ଠ ନାଗରିକ ଓ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ମହିଳାଙ୍କୁ ମାସିକ ୨,୫୦୦ ଟଙ୍କା, ଗର୍ଭବତୀଙ୍କୁ ଏକକାଳୀନ ୨୧ ହଜାର ଟଙ୍କା, ବାର୍ଦ୍ଧକ୍ୟ ଭତ୍ତା ୨୫୦୦, ୭୦ ବର୍ଷରୁ ଉର୍ଦ୍ଧ୍ୱ ଓ ଦିବ୍ୟାଙ୍ଗଙ୍କୁ ୩୦୦୦, ଗ୍ୟାସ୍ ସିଲିଣ୍ଡରରେ ୫୦୦ ଟଙ୍କା ସବସିଡ଼ି ଏବଂ ହୋଲୀ ଓ ଦୀପାବଳିରେ ମାଗଣା ଗ୍ୟାସ ଦେବ ବିଜେପି ସରକାର ।