ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି । ଶନିବାର ନାମାଙ୍କନ ଯାଞ୍ଚ କରାଯିବ ଏବଂ ଆସନ୍ତା ସୋମବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି । ତେବେ ଚଳିତ ବିଧାନସଭା ନିର୍ବାଚନ ପାଇଁ ୭୦ଟି ଆସନରେ ୯୮୧ ପ୍ରତ୍ୟାଶୀ ୧୫୨୧ଟି ନାମାଙ୍କନ ପତ୍ର ଭରିଛନ୍ତି । ଏ ନେଇ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି । ଶେଷ ଦିନରେ ୬୮୦ ଜଣ ନାମାଙ୍କନ ଭରିଛନ୍ତି ।
ତେବେ ଦାଖଲ ହୋଇଥିବା ନାମାଙ୍କନ ମଧ୍ୟରୁ ନୂଆଦିଲ୍ଲୀ ଆସନ ପାଇଁ ସର୍ବାଧିକ ପ୍ରାର୍ଥୀ ରହିଛନ୍ତି । ଏହି ଆସନ ପାଇଁ ୨୯ ଜଣ ପ୍ରାର୍ଥୀ ରହିଥିବାବେଳେ ୪୦ଟି ନାମାଙ୍କନ ଦାଖଲ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସାହେବ ସିଂହ ବର୍ମାଙ୍କ ପୁଅ ପ୍ରବେଶ ବର୍ମା ଓ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କ ଭଳି ବହୁ ନାମୀଦାମୀ ନେତାଙ୍କ ମଧ୍ୟରେ ଏହି ଆସନରେ କଡ଼ା ଟକ୍କର ଦେଖିବାକୁ ମିଳିବ ।
ଅନ୍ୟପକ୍ଷରେ କସ୍ତୁରବା ଆସନରେ ବିପରୀତ ଚିତ୍ର ଦେଖିବାକୁ ମିଳିଛି । ଏହି ଆସନରୁ ୬ ଜଣ ପ୍ରତିଦ୍ୱନ୍ଦୀ ଥିଲାବେଳେ ୯ ନାମାଙ୍କନ ଦାଖଲ ହୋଇଛି । ଏହି ଆସନରୁ ଆପ୍ ଦଳର ରମେଶ ପହଲବାନ, ବିଜେପିରୁ ନୀରିଜ ବସୋୟା ଓ କଂଗ୍ରେସରୁ ଅଭିଷେକ ଦତ୍ତ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ଆତିଶୀ ମାର୍ଲେନା, ରମେଶ ବିଧୁଡ଼ୀ ଓ କଂଗ୍ରେସର ଅଲକା ଲାମ୍ବା ପ୍ରତିଦ୍ୱନ୍ଦିତା କରୁଥିବା କାଲକାଜୀ ଆସନରୁ ୧୮ ଜଣ ପ୍ରତିଦ୍ୱନ୍ଦୀ ରହିଛନ୍ତି ।