କୋଲକାତା: ବହୁଚର୍ଚ୍ଚିତ କଲିକତା ଆରଜି କର ମେଡିକାଲର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ରାୟ । ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ଏଥିସହ ୫୦ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି ପଶ୍ଚିମବଙ୍ଗର ସିଆଲଦା କୋର୍ଟ । ଏଥିସହ ପୀଡ଼ିତାଙ୍କ ପରିବାକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରହିଛି କୋର୍ଟଙ୍କ ନିର୍ଦ୍ଦେଶ । ସେପଟେ ରାୟ ଆସିବା ପରେ ପୀଡ଼ିତାଙ୍କ ବାପା-ମା କହିଛନ୍ତି, ଆମକୁ କ୍ଷତିପୂରଣ ଦରକାର, ବରଂ ନ୍ୟାୟ ଦରକାର ।
ସଞ୍ଜୟ ରାୟଙ୍କୁ କଣ ମିଳିବ ସଜା, ତାକୁ ଅପେକ୍ଷା କରି ରହିଥିଲା ସାରା ଦେଶ । ଗତ ୧୮ ତାରିଖରେ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଆଜି ଦଣ୍ଡାଦେଶର ଶୁଣାଣି ରହିଥିଲା । ଏଥିପାଇଁ କୋର୍ଟ ପରିସରରେ ଲୋକଙ୍କ ଗହଳି ଲାଗିଥିଲା । ତେବେ ରାୟ ଆସିବା ପରେ କୋର୍ଟ ପରିସରରେ ଉତ୍ତେଜନା ଦେଖାଯାଇଛି ।
ସୂଚନା ମୁତାବିକ, ୯ ଅଗଷ୍ଟ ୨୦୨୪ ସକାଳେ ଉତ୍ତର କୋଲକାତାର ସରକାରୀ ମେଡିକାଲ କଲେଜ ଆର୍.ଜି କରରେ ଜଣେ ପ୍ରଶିକ୍ଷିତ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା । ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ରହିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ ସଞ୍ଜୟ ।
ଡାକ୍ତରୀ ମହିଳା ଜଣକ ଘଟଣାଦିନ ହସ୍ପିଟାଲର ସେମିନାର ରୁମକୁ ଯାଇ ସେଠାରେ ବିଶ୍ରାମ ନେଉଥିବା ବେଳେ ଏଭଳି କାଣ୍ଡ କରିଥିଲା ସେହି କଲେଜରେ ସିକ୍ୟୁରିଟି ଭାବେ କାର୍ୟ୍ୟରତ ଥିବା ସଞ୍ଜୟ ରାୟ । ଏପରିକି ସେ ପୋଲିସ ମିତ୍ର ଭାବେ ଦିଲ୍ଲୀ ପୋଲିସକୁ ସାହାଯ୍ୟ କରୁଥିଲା। ଘଟଣା ସାମ୍ନାକୁ ଆସିବା ପରେ ଯଦିଓ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା କିନ୍ତୁ ପ୍ରତିବାଦ ଜୋରଦାର ହେଉଥିଲା ।
ଘଟଣାଦିନ ପ୍ରଥମେ ସେ ପୀଡିତାଙ୍କୁ ଦୁଷ୍କର୍ମ ଏବଂ ପରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ଆର୍.ଜି କର ମେଡିକାଲ କଲେଜ ପ୍ରଥମେ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲା, କିନ୍ତୁ ପରେ ସତ ସାମ୍ନାକୁ ଆସିଥିଲା । ସାରା ଦେଶରେ ଏଥିପାଇଁ ଆନ୍ଦୋଳନ ତୀବ୍ର ହୋଇଥିଲା, ଡାକ୍ତରମାନେ ଧର୍ମଘଟକୁ ଓହ୍ଳାଇଥିଲେ ।