ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪୦ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶ ସାମ୍ନା କରୁଥିବା ସମସ୍ୟା ଉପରେ ଆଲୋକପାତ କରିଛନ୍ତି । ସାଇବର୍ ଅପରାଧଠାରୁ ଆରମ୍ଭ କରି ଯୁବପୀଢ଼ିଙ୍କୁ ନିଶାମୁକ୍ତ କରିବା ଉପରେ ନିଜର ମତ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ସର୍ବପ୍ରଥମେ ନିଶାମୁକ୍ତ ଅଭିଯାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆଜି ସମଗ୍ର ବିଶ୍ୱରେ ଭାରତର ଯୁବପିଢ଼ିଙ୍କ ପ୍ରତିଭା ବିଷୟରେ ଚର୍ଚ୍ଚା ହେଉଛି। ଆମର ଯୁବକ-ଯୁବତୀମାନେ ବଡ଼ ସ୍ୱପ୍ନ ଦେଖୁଛନ୍ତି ଏବଂ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି, କିନ୍ତୁ ନିଶା ସେବନର ସମସ୍ୟା ଏହି ଆକାଂକ୍ଷାଗୁଡ଼ିକ ପାଇଁ ଏକ ବଡ଼ ଆହ୍ୱାନ ଭାବରେ ଉଭା ହୋଇଛି। ଏହା ଦେଖି ଖୁସି ଲାଗୁଛି ଯେ, ନିଶା ସେବନ ବିରୁଦ୍ଧରେ ସମାଜର ସକ୍ରିୟ ଅଂଶଗ୍ରହଣ ସାରା ଦେଶରେ ବୃଦ୍ଧି ପାଉଛି। ‘ନିଶା ମୁକ୍ତ ଯୁବ ଅଭିଯାନ’ ମଧ୍ୟ ବେଶ୍ ଗତିଶୀଳ ହେଉଛି। ଯୁବକ-ଯୁବତୀମାନେ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ନିଶା ଆସକ୍ତିକୁ ପରାସ୍ତ କରିଥିବାରୁ ମୋଦୀ ଧନ୍ୟବାଦ ଦେଇଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ‘iGOT କର୍ମଯୋଗୀ’ ଓ ସଞ୍ଚାର ସାଥୀ ଆପ୍ ଉପରେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ହଜାର ହଜାର ସରକାରୀ କର୍ମଚାରୀ ନୂତନ କୋର୍ସ କରି ସଫଳତା ପାଉଛନ୍ତି । ଏଯାବତ୍ ସାଢ଼େ ତିନି କୋଟି କୋର୍ସ ପୂରଣ ହୋଇସାରିଛି । 'ନାଗରିକ ଦେବୋ ଭବ' (ନାଗରିକ ଈଶ୍ୱରଙ୍କ ସଦୃଶ) ହେଉଛି 'ମିଶନ୍ କର୍ମଯୋଗୀ'ର ମୂଳ ମନ୍ତ୍ର। ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଥିବା ଶିଖିବାର ଉତ୍ସାହ, ଏକ ବିକଶିତ ଭାରତ ଗଠନ ଦିଗରେ ହେଉଥିବା ଯାତ୍ରାରେ ଏକ ବିଶାଳ ଶକ୍ତି ଭାବରେ କାର୍ଯ୍ୟ କରୁଛି।
ସେହିପରି ‘ସଞ୍ଚାର ସାଥୀ’ ଆପ୍ ଜରିଆରେ , ବର୍ତ୍ତମାନ ସୁଦ୍ଧା ୫,୦୦୦ କୋଟି ଟଙ୍କାରୁ ଅଧିକ ସମ୍ଭାବ୍ୟ କ୍ଷତିକୁ ଏଡ଼ାଇ ଦିଆଯାଇପାରିଛି। ବ୍ୟାଙ୍କ, ପେମେଣ୍ଟ ଆପ୍, ଟେଲିକମ୍ କମ୍ପାନୀ ଏବଂ ପୋଲିସ୍ ସମେତ ୧,୬୦୦ରୁ ଅଧିକ ସଂସ୍ଥା ‘ସଞ୍ଚାର ସାଥୀ’ ସହିତ ଯୋଡ଼ି ହୋଇ ରହିଛନ୍ତି। ଏହା ସାଇବର ଠକେଇର ଅନେକ ଉଦ୍ୟମକୁ ଠିକ୍ ସମୟରେ ରୋକିବାରେ ସାହାଯ୍ୟ କରେ। ଏହି ଆପ୍ଟି ୨୩ଟି ଭାଷାରେ ଉପଲବ୍ଧ ଏବଂ ବ୍ୟବହାର କରିବା ପାଇଁ ଅତ୍ୟନ୍ତ ସହଜ ଅଟେ। ‘ସଞ୍ଚାର ସାଥୀ’ ଆପ୍ ସମ୍ପନ୍ଧରେ ସମସ୍ତଙ୍କୁ ଅଧିକ ଜଣାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।
ସେହିପରି ଦେଶରେ ମେଦ ବହୁଳତା ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ତେଣୁ ଫିଟ୍ ଇଣ୍ଡିଆ ଅଭିଯାନରେ ଯୋଡ଼ି ହୋଇ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ସହିତ ନିଜର ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।