ଆଜି ରବିବାର ଭୋର ସମୟରେ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି।
ରାମଗଡ଼ ଜିଲ୍ଲାର କୁଜୁ ଥାନା ଅନ୍ତର୍ଗତ ପେନ୍କି ଗାଁ ନିକଟସ୍ଥ ରାଞ୍ଚି-ପାଟନା ଜାତୀୟ ରାଜପଥ (NH-33) ଉପରେ ଭୋର ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ଗାଡ଼ି ଆଗରେ ଯାଉଥିବା ଅନ୍ୟ ଏକ ଗାଡ଼ିକୁ ପଛପଟୁ ଜୋରରେ ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଛି।
ଗାଡ଼ିରେ ମୋଟ ୧୪ ଜଣ ଯାତ୍ରୀ ଥିଲେ ଏବଂ ସମସ୍ତେ ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ଜଙ୍ଘାରୋ ଗାଁର ବାସିନ୍ଦା ଥିଲେ। ସେମାନେ ରାମଗଡ଼ସ୍ଥିତ ପ୍ରସିଦ୍ଧ ମା’ ଛିନ୍ନମସ୍ତିକା ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ଯାଉଥିଲେ। ମୃତ ୧୩ ଜଣଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ସାମିଲ ଅଛନ୍ତି। ଦୁର୍ଘଟଣାରେ ଏକମାତ୍ର ଜୀବିତ ଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାମଗଡ଼ ସଦର ହସ୍ପିଟାଲର ରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।