ନୂଆଦିଲ୍ଲୀ: ଭାରତରେ ସୀମା ପୁନଃନିର୍ଦ୍ଧାରଣ ସମ୍ବନ୍ଧୀୟ ଆଲୋଚନା ଜୋର ଧରିଛି । କେନ୍ଦ୍ର କ୍ୟାବିନେଟ୍ ଏକ ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ଅନୁମୋଦନ ପ୍ରଦାନ କରିସାରିଛି । ସୀମା ପୁନଃନିର୍ଦ୍ଧାରଣ ବିଲ୍ ପରେ ସରକାର ମହିଳା ସଂରକ୍ଷଣ ବିଲକୁ ପାରିତ କରିବାକୁ ଚେଷ୍ଟା କରିବେ । ଗୋଟିଏ ପଟେ ସରକାର ମହିଳା ସଂରକ୍ଷଣ ବିଲ୍ ଆଗତ କରିବାକୁ ଉଦ୍ୟମ କରୁଥିବାବେଳେ ବିରୋଧୀଙ୍କ ସମାଲୋଚନାର ମଧ୍ୟ ସାମ୍ନା କରୁଛନ୍ତି । ମହିଳାଙ୍କ ଅଧିକାର ଏବଂ ନ୍ୟାୟ ପାଇଁ ଲଢ଼ୁଥିବା ସମସ୍ତ ରାଜନୈତିକ ଦଳ କାହିଁକି ଏହାକୁ ବିରୋଧ କରୁଛନ୍ତି ତାହା ବଡ଼ ପ୍ରଶ୍ନ । କିନ୍ତୁ 'ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍'ର ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି ।
ଯଦି ରିପୋର୍ଟ ଦେଖିବା ତେବେ ଭାରତର ଜନସଂଖ୍ୟାର ମହିଳାଙ୍କ ଅଂଶ ପ୍ରାୟ ୪୯ ପ୍ରତିଶତ ଅଛନ୍ତି । କିନ୍ତୁ ରାଜନୈତିକ ପ୍ରତିଦ୍ୱନ୍ଦିତାରେ ସେମାନଙ୍କ ଭୂମିକା ନଗଣ୍ୟ । ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ମାତ୍ର ୧୪ ପ୍ରତିଶତ ରହିଛି।
ଏଡିଆର୍ ରିପୋର୍ଟ ଅନୁଯାୟୀ, ସାରା ଦେଶରେ ଥିବା ମୋଟ ୪,୬୬୬ ଜଣ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରୁ କେବଳ ୪୬୪ ଜଣ ହେଉଛନ୍ତି ମହିଳା ପ୍ରତିନିଧି । ଯାହା ମାତ୍ର ୧୦ ପ୍ରତିଶତ ଅଟେ ।
୭୯ ବର୍ଷ ପରେ ମାତ୍ର ୭୫ ଜଣ ମହିଳା ସାଂସଦ
୧୯୪୭ ମସିହାରେ ଦେଶ ସ୍ୱାଧୀନ ହୋଇଥିଲା । ଭାରତ ସ୍ୱାଧୀନତାକୁ ୭୯ ବର୍ଷ ପୂରଣ ହୋଇସାରିଲାଣି । କିନ୍ତୁ ଲୋକସଭାରେ ମହିଳା ସଦସ୍ୟାଙ୍କ ମାତ୍ର ୭୫ରେ ପହଁଚିଛି । ପ୍ରଥମ ଲୋକସଭା (୧୯୫୧-୫୨) ରେ ୨୨ ଜଣ ମହିଳା ନିର୍ବାଚିତ ହୋଇଥିଲେ, ଯାହା ପ୍ରାୟ ୫ ପ୍ରତିଶତ । ୨୦୧୯ ମସିହା ସୁଦ୍ଧା ଏହି ସଂଖ୍ୟା ୭୮ ରେ ପହଞ୍ଚିଥିଲା ପ୍ରାୟ ୧୫ ପ୍ରତିଶତ । ୨୦୨୪ ଲୋକସଭା ନିର୍ବାଚନରେ ୭୫ ଜଣ ମହିଳା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ପ୍ରାୟ ୧୪ ପ୍ରତିଶତ ।
ଅକ୍ଟୋବର ମାସ ସୁଦ୍ଧା, 'ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ୍'ର ତାଲିକାରେ ଭାରତ ୧୫୨ତମ ସ୍ଥାନରେ ରହିଛି। ବିଶ୍ୱସ୍ତରରେ, ବିଭିନ୍ନ ଦେଶର ସଂସଦରେ ମହିଳାଙ୍କ ହାରାହାରି ଅଂଶ ୨୭ ପ୍ରତିଶତ ରହିଛି ।
ରାଜନୈତିକ ଦଳଗୁଡ଼ିକର ସ୍ଥିତି
ବର୍ତ୍ତମାନ, ବିଜେପିରେ ସର୍ବାଧିକ ସଂଖ୍ୟକ ମହିଳା ସାଂସଦ (୩୧) ଅଛନ୍ତି । ଏହା ପଛକୁ କଂଗ୍ରେସ (୧୩) ଏବଂ ତୃଣମୂଳ କଂଗ୍ରେସ (୧୧) ରହିଛନ୍ତି। ୨୦୨୪ ନିର୍ବାଚନରେ ୮୦୦ ଜଣ ମହିଳା ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ଯାହା ୧୯୫୭ ମସିହାର ମାତ୍ର ୪୫ ଜଣଙ୍କ ତୁଳନାରେ ଏକ ଉଲ୍ଲେଖନୀୟ ବୃଦ୍ଧି ଅଟେ। ତେବେ, କୌଣସି ମହିଳା ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଜିତିବାରେ ସଫଳ ହୋଇପାରି ନଥିଲେ।