ନୂଆଦିଲ୍ଲୀ: ଦିଲ୍ଲୀର ବିଶ୍ୱାସ ନଗର ଅଂଚଳରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏକ ଇ-ରିକ୍ସା ଚାର୍ଜିଂ ପଏଣ୍ଟରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ବିଶ୍ୱାସ ନଗରର ୧୧ ନଂ ଲେନ୍ ରେ ଜଣଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଁଚି ନିଆଁ ଲିଭା କାର୍ୟ୍ୟ ଆରମ୍ଭ କରିଥିଲା । ଘର ଭିତରୁ ୬ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା, ଶାହଦରାର ଡିସିପି ରାଜେନ୍ଦ୍ର ପ୍ରସାଦ ମୀନା ସୂଚନା ଦେଇଛନ୍ତି । ଅନ୍ୟ ଦୁଇ ଜଣ ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
ଡିସିପିଙ୍କ ସୂଚନା ମୁତାବକ, ନିଆଁଟି ଏକ ଇ-ରିକ୍ସା ଚାର୍ଜିଂ ପଏଣ୍ଟରୁ ଲାଗିଥିବା ସନ୍ଦେହ କରାଯାଉଛି। ଫଳରେ ପ୍ରଥମ ମହଲାରେ ଶୋଇଥିବା ପରିବାର ସଦସ୍ୟ ଏଥିରେ ଫସିଯାଇଥିଲେ । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଜାରି ରହିଛି ।