ଆସନ୍ତାକାଲି ସଂସଦର ସ୍ୱଳ୍ପକାଳୀନ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି । ଏହି ଅଧିବେଶନରେ କେନ୍ଦ୍ରର ମୋଦୀ ସରକାର ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଆଗତ କରିବାକୁ ଯାଉଛନ୍ତି । କିନ୍ତୁ ଏପଟେ ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ବଡ଼ ଫାଟ ସୃଷ୍ଟି ହୋଇଛି । ଇଣ୍ଡିର ସହଯୋଗୀ ଦଳ ବିଲ୍ ସପକ୍ଷରେ ଭୋଟ୍ ଦେବାକୁ ଯୋଜନା କରିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି । ଏହାରି ମଧ୍ୟରେ ଦୁଇଟି ବଡ଼ ଦଳ ଏମକେ ଷ୍ଟାଲିନଙ୍କ ଡିଏମକେ ଏବଂ ଶରଦ ପାୱାରଙ୍କ ଏନସିପି (ଏସପି) ଦଳ ସାମିଲ ରହିଛି ।
ଡିଏମକେ ଏବଂ ଏନସିପି (ଏସପି)କୁ ବୁଝାଇବାକୁ ଇଣ୍ଡିର ବଡ଼ ବଡ଼ ସହଯୋଗୀ ଦଳର ମୁଖିଆମାନେ ଲାଗି ପଡ଼ିଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଷ୍ଟାଲିନ ଏବଂ ପାୱାରଙ୍କୁ ଭେଟିବାର ସମ୍ଭାବନା ରହିଛି । ମଲ୍ଲିକାର୍ଜୁନଙ୍କ ସହିତ ହେବାକୁ ଥିବା ବୈଠକରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଇଣ୍ଡି ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ଏବଂ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ମଧ୍ୟ ଭରସା କରିଛି ।
ଷ୍ଟାଲିନଙ୍କୁ ବୁଝାଇବାକୁ ମଲ୍ଲିକାର୍ଜୁନ ଖଡ଼ଗେ, ଅଖିଳେଶ ଯାଦବ, ମମତା ବାନାର୍ଜୀ, ମୀସା ଭାରତୀ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, କେସୀ ବେଣୁଗୋପାଳ ଏବଂ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ଏକ ଟିମ୍ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।
ଏହା ପରେ ଏହି ଟିମ୍ ସନ୍ଧ୍ୟାରେ ମୁମ୍ବାଇ ପାଇଁ ଗସ୍ତ କରିବେ । ରାତି ପ୍ରାୟ 9ଟା ବେଳେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଶରଦ ପାୱାରଙ୍କୁ ସାକ୍ଷାତ କରିବେ ।