କୋଲକାତା: ୱକଫ୍ ସଂଶୋଧନକୁ ନେଇ ମୁର୍ଶିଦାବାଦରେ ଆରମ୍ଭ ହୋଇଥିବା ସାଂପ୍ରଦାୟିକ ଦଙ୍ଗାକୁ ପଶ୍ଚିମବଙ୍ଗ ସରକାର ନିୟନ୍ତ୍ରଣ କରିବାରେ ଅସଫଳ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ମାମଲା ଏବେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ପହଁଚିଛି । ସ୍ୱତନ୍ତ୍ର ଟିମ ଦ୍ୱାରା ଏହାର ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ ଆଇନଜୀବୀ ଶଶାଙ୍କ ଝା ସୋମବାର ଆବେଦନ କରିଛନ୍ତି ।
ଆଇନଜୀବୀ ଶଶାଙ୍କ ଝା ମୁର୍ଶିଦାବାଦରେ ହେଉଥିବା ହିଂସା ଏବଂ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିବାକୁ ସେ ନିବେଦନ କରିଛନ୍ତି । ଲୋକଙ୍କ ଜୀବନ ରକ୍ଷା କରିବା ଏବଂ ଆଗାମୀ ଦିନରେ ହେବାକୁ ଥିବା ହିଂସାକୁ ରୋକିବାକୁ ସର୍ବୋଚ୍ଚ ଅଦାଲତ ଏକ ଠୋସ୍ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଆଇନଜୀବୀ କହିଛନ୍ତି ।
ଗତ ଶୁକ୍ରବାର ୱକଫ ସଂଶୋଧିତ ଆଇନ ବିରୋଧରେ ମୁର୍ଶିଦାବାଦରେ ଆରମ୍ଭ ହୋଇଥିଲା ପ୍ରଦର୍ଶନୀ । ମୁସଲମାନ ସଂପ୍ରଦାୟଙ୍କ ଏହି ପ୍ରଦର୍ଶନ ହିଂସାରେ ପରିଣତ ହୋଇଥିଲା। ଆନ୍ଦୋଳନକାରୀମାନେ ରେଳ ଟ୍ରାକ ଅବରୋଧ କରିଥିଲେ । ଏତଦ ବ୍ୟତୀତ ପୋଲିସ ଉପରେ ପଥରମାଡ଼ କରିବା ସହିତ ପୋଲିସ ଗାଡ଼ି ଜାଳି ଦେଇଥିଲେ । ଏହାରି ମଧ୍ୟରେ ତିନି ଜଣ ସାଧାରଣ ଜନତାଙ୍କର ପ୍ରାଣ ଯାଇ ସାରିଲାଣି । ଦୁଇ ଜଣ ବାପ ପୁଅଙ୍କ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ପୋଲିସ ଗୁଳିରେ ଜଣେ ନାବଳକର ମଧ୍ୟ ମୃତ୍ୟୁ ହୋଇଛି । ଏହି ହିଂସାରେ ପ୍ରାୟ ୨୦୦ ଜଣଙ୍କୁ ଗିରଫ କରାଯାଇଛି ।