ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଉର୍ଦ୍ଦୁ ଭାଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ପାତୁର ନଗର ପରିଷଦର ସାଇନବୋର୍ଡ ଉର୍ଦ୍ଦୁ ଭାଷାରେ ଲେଖା ଯିବାକୁ ବିରୋଧ କରି କୋର୍ଟରେ ପିଟିସନ ଦାୟର ହୋଇଥିଲା । ଏହାକୁ ଅଗ୍ରାହ୍ୟ କରି ସର୍ବୋଚ୍ଚ ନ୍ୟାୟାଳୟ ଉର୍ଦ୍ଦୁ ଭାଷାରେ ସାଇନବୋର୍ଡ ଲେଖାକୁ କାଏମ ରଖିଛନ୍ତି । କୋର୍ଟ କହିଛନ୍ତି, ଭାଷା ହେଉଛି ସଂସ୍କୃତିର ଏକ ଅଂଶ । ଏହା ଲୋକଙ୍କୁ ବିଭାଜନ କରିବାର କାରଣ ହେବା ଉଚିତ୍ ନୁହେଁ । ଏଥିସହ ଉର୍ଦ୍ଦୁକୁ ‘ଗଙ୍ଗା-ଯମୁନ ମିଳନ’ର ଆଦର୍ଶ ଉଦାହରଣ ଦର୍ଶାଇ ଭାରତର ଜନ୍ମିତ ଭାଷା ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।
ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ କେ ବିନୋଦ ଚନ୍ଦ୍ରଙ୍କ ପୀଠ ପାତୁର ନଗର ପରିଷଦର ପୂର୍ବତନ କର୍ପୋରେଟର ବର୍ଷାତାଇ ସଞ୍ଜୟ ବାଗଡେଙ୍କ ଯାଚିକାକୁ ଖାରଜ କରିଛନ୍ତି । ଆବେଦନକାରୀ ସାଇନବୋର୍ଡରେ ଉର୍ଦ୍ଦୁ ଭାଷାର ବ୍ୟବହାରକୁ ଚ୍ୟାଲେଞ୍ଜ କରିଥିଲେ । ସେ ଦାବି କରିଥିଲେ ଯେ, ମହାରାଷ୍ଟ୍ର ସ୍ଥାନୀୟ ପ୍ରାଧୀକରଣ ଅଧିନିୟମ ୨୦୨୨ ଆଧାରରେ କେବଳ ମରାଠି ଭାଷା ବ୍ୟବହାର ହେବା ଉଚିତ୍ । ପୀଠ କହିଛନ୍ତି, ଭାଷା କୌଣସି ଧର୍ମର ହୋଇ ନ ଥାଏ । ଏହା କୌଣସି ସମୁଦାୟ, କ୍ଷେତ୍ର ଓ ଲୋକଙ୍କର ହୋଇଥାଏ ।
ଜଷ୍ଟିସ ଧୁଲିଆ ନିଜ ନିଷ୍ପତ୍ତିରେ କହିଛନ୍ତି, ଉର୍ଦ୍ଦୁ ଭାରତରେ ଜନ୍ମିତ ଭାଷା । ଏହାକୁ କୌଣସି ଧର୍ମ ସହ ଯୋଡିବା ଭୁଲ୍ ଅଟେ । ଏହା ଗଙ୍ଗା-ଯମୁନା ମିଳନର ପ୍ରତୀକ, ଯାହା ଉତ୍ତର ଓ ମଧ୍ୟ ଭାରତର ସମନ୍ୱିତ ସାଂସ୍କୃତିକ ବିରାସତର ପ୍ରତୀକ । ବିଚାରପତି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଉର୍ଦ୍ଦୁ ଓ ମରାଠି ଉଭୟ ଭାଷାକୁ ସମ୍ବିଧାନରେ ସମାନ ମାନ୍ୟତା ମିଳିଛି । ଯଦି ସ୍ଥାନୀୟ ଲୋକ ଉର୍ଦ୍ଦୁ ସହ ପରିଚିତ ତେବେ ସାଇନବୋର୍ଡରେ ଏହାର ଉପଯୋଗ କରିବାରେ କୌଣସି ଆପତ୍ତି ନାହିଁ ।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଉର୍ଦ୍ଦୁ ଭାଷାକୁ ସର୍ବଦା ମୁସଲିମ ସମୁଦାୟ ସହ ଯୋଡା ଯାଏ, ଯାହା ବାସ୍ତବଠୁ ବହୁ ଦୂରରେ । ଔପନିବେଶକ ଶକ୍ତିମାନେ ହିନ୍ଦୀକୁ ହିନ୍ଦୁ ଓ ଉର୍ଦ୍ଦୁକୁ ମୁସଲମାନଙ୍କ ସହ ଯୋଡିବାର ଭୁଲ ଧାରଣା ସୃଷ୍ଟି କରିଛନ୍ତି । ଉର୍ଦ୍ଦୁ ଭାରତର ଷଷ୍ଠ ସବୁଠୁ ଅଧିକ ପ୍ରଚଳିତ ଅନୁସୂଚିତ ଭାଷା । ଏହା ଦେଶର ପ୍ରାୟତଃ ସବୁ ରାଜ୍ୟରେ କୁହାଯାଏ । ଭାଷାର ମୂଳ ଉଦ୍ଦେଶ୍ୟ ଯୋଗାଯୋଗା ଓ ସଞ୍ଚାର । ଏହାକୁ କୌଣସି ରାଜନୀତି କି ଧର୍ମ ସହ ଯୋଡା ନ ଯାଉ ।