ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ରାସ୍ତାରେ ଲୋକଙ୍କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ ନୂଆ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏକ ଟିଭି କାର୍ଯ୍ୟକ୍ରମରେ ଦୁର୍ଘଟଣା ରୋକିବା ପାଇଁ ମାଷ୍ଟର ପ୍ଲାନ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି ଗଡକରୀ । ତାଙ୍କ ଯୋଜନାରେ ନୂଆ ଦୁଇ ଚକିଆ ଯାନ ସହ ୨ଟି ହେଲମେଟ୍ ଦେବେ ବିକ୍ରେତା । ରାସ୍ତା ମଝିରେ ୱାଲ ରହିବ । ରାସ୍ତା ଏବେ ଫ୍ୟାକ୍ଟ୍ରିରେ ତିଆରି ହେବ । ଗଡକରୀ କହିଛନ୍ତି, କେବଳ ସ୍କୁଲ ସାମ୍ନାରେ ପ୍ରତି ବର୍ଷ ୧୦ ହଜାର ପିଲା ଦୁର୍ଘଟଣାର ଶିକାର ହେଉଛନ୍ତି । ଏହା ବହୁତ ବଡ ଚିନ୍ତାର ବିଷୟ । ଏହାକୁ ରୋକିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ।
ଗଡକରୀ କହିଛନ୍ତି, ଯିଏ ବି ଦୁଇ ଚକିଆ ଯାନ କିଣିବ କମ୍ପାନି ତାଙ୍କୁ କୌଣସି ଭଲ କମ୍ପାନିର ଦୁଇଟି ଆଇଏସଆଇ ଷ୍ଟାଣ୍ଡାର୍ଡର ଦୁଇଟି ହେଲମେଟ୍ ଦେବେ । ସେ କହିଛନ୍ତି, ସଡକ ସୁରକ୍ଷାରେ ଆମେ ଦୀର୍ଘ ସମୟ ଧରି ଅନେକ କାମ କରି ସାରିଲୁଣି । ତଥାପି ଆଶାନୁରୂପ ସଫଳତା ମିଳି ପାରିନି । କେବଳ ସ୍କୁଲ ସାମ୍ନାରେ ପ୍ରତି ବର୍ଷ ୧୦ ହଜାର ପିଲାଙ୍କ ସଡକ ଦୁର୍ଘଟଣାରେ ପ୍ରାଣହାନୀ ଘଟୁଛି । ପ୍ରତି ବର୍ଷ ସଡକ ଦୁର୍ଘଟଣାରେ ଏକ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି । ତେଣୁ ରୋଡ ସେଫଟିର ସମୀକ୍ଷା କରାଯାଉଛି ଏବଂ ବ୍ଲାକ ସ୍ପଟ ଚିହ୍ନଟ କରାଯାଉଛି ।
ଗଡକରୀ କହିଛନ୍ତି, ଆମ ମନ୍ତ୍ରଣାଳୟ ଏକ ରାହବୀର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ଯଦି କାହାର ଦୁର୍ଘଟଣା ଘଟୁଛି ଏବଂ ତାଙ୍କୁ ନେଇ କେହି ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି ଏବଂ ଜୀବନ ବଞ୍ଚି ଯାଉଛି । ତେବେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ । ଆଉ ଯିଏ ହସ୍ପିଟାଲରେ ଭର୍ତ୍ତି ହେବ ତାଙ୍କୁ ସର୍ବାଧିକ ସାତ ଦିନର ଖର୍ଚ୍ଚ କିମ୍ବା ୧.୫୦ ଲକ୍ଷ ଟଙ୍କା ସହାୟତା ରାଶି ଭାବେ ଦିଆଯିବ । ଯଦି ଲୋକେ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇବାର କାମ କରନ୍ତି ତେବେ ଆମେ ବର୍ଷକୁ ୫୦ ହଜାର ଲୋକଙ୍କ ଜୀବନ ବଞ୍ଚାଇ ପାରିବା ।