ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ ଏପ୍ରିଲ ୧୮ରୁ ଏପ୍ରିଲ ୨୪ ମଧ୍ୟରେ ଇଟାଲୀ ଓ ଭାରତ ଗସ୍ତରେ ଆସିବେ। ଏହି ଗସ୍ତରେ ତାଙ୍କ ସହ ପତ୍ନୀ ଉଷା ଭେନ୍ସ ମଧ୍ୟ ଆସିବେ। ପ୍ରଥମ ଥର ଆମେରିକାର ସେକେଣ୍ଡ ଲେଡି ଭାରତ ଆସୁଛନ୍ତି। ଏହି ସମୟରେ ଜେଡି ଭେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ।
ସୂଚନାଯୋଗ୍ୟ, ଉଷା ଭେନ୍ସଙ୍କ ବାପା-ମାଆ ଆନ୍ଧ୍ର ପ୍ରଦେଶର ବାସିନ୍ଦା ଥିଲେ। ପରବର୍ତ୍ତୀ ସମୟରେ ଆମେରିକା ଯାଇ ସେଠାରେ ରହିଗଲେ। ତାଙ୍କ ମାଆ ଜଣେ ମଲିକ୍ୟୁଲର ବାୟୋଲୋଜିଷ୍ଟ ଓ ବାପା ମେକାନିକାଲ ଇଞ୍ଜିନିୟର। ଏବେ ଉଷା ଭେନ୍ସ ଆମେରିକାର ଉପରାଷ୍ଟ୍ରପତିଙ୍କ ପତ୍ନୀ ଭାବେ ଭାରତ ଆସୁଛନ୍ତି। ଏହା ତାଙ୍କ ପାଇଁ ବହୁତ ଖାସ୍ ମୁହୂର୍ତ୍ତ ହେବାକୁ ଯାଉଛି। ଉଷା ନିଜ ସ୍ଵାମୀଙ୍କ ସହ ଦିଲ୍ଲୀ, ଜୟପୁର ଓ ଆଗ୍ରା ଯାତ୍ରା କରିବେ।
ଆମେରିକା ଉପରାଷ୍ଟ୍ରପତିଙ୍କ ଭାରତ ଯାତ୍ରା ଏମିତି ସମୟରେ ହେଉଛି, ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଓ୍ଵାରକୁ ନେଇ ସାରା ବିଶ୍ଵ ଚିନ୍ତାରେ ରହିଛି। ଟ୍ରମ୍ପ କ୍ଷମତାକୁ ଆସିବା ପରେ ଆମେରିକା ଫାଷ୍ଟ ନୀତିର ସଙ୍କେତ ଦେଇଥିଲେ। ଆଉ ଏହି ସମୟରେ ଭେନ୍ସଙ୍କ ଭାରତ ଯାତ୍ରା ବହୁତ ଗୁରୁତ୍ଵବହନ କରୁଛି।
ଭାରତ ଓ ଆମେରିକା ମଧ୍ୟରେ ବର୍ତ୍ତମାନ ୨୦୨୫ ସୁଦ୍ଧା ବହୁ କ୍ଷେତ୍ରୀୟ ଦ୍ଵିପାକ୍ଷିକ କାରବାର ରାଜିନାମା ଉପରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଚାଲିଛି। ଏହି ଆଲୋଚନାକୁ ଆଗକୁ ବଢାଇବା ପାଇଁ ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହ୍ଵାଇଟ୍ ହାଉସ୍ରେ ସାକ୍ଷାତ ହୋଇଥିଲା।