ନୂଆଦିଲ୍ଲୀ: ୟୁକ୍ରେନ ସହ ଭୀଷଣ ଯୁଦ୍ଧ ମଝିରେ ରୁଷରେ ପୁଣି ଥରେ ସୈନ୍ୟ ଗତିବିଧି ଜୋରଦାର ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଦେଶକ୍ରମେ ଏପ୍ରିଲ ୧ରୁ ସମଗ୍ର ଦେଶରେ ‘ମହା ସୈନ୍ୟ ଭର୍ତ୍ତି ଅଭିଯାନ’ ଚାଲିଛି । ଏଥିରେ ୧୮ରୁ ୩୦ ବର୍ଷ ମଧ୍ୟରେ ୧.୬ ଲକ୍ଷ ଯୁବକଙ୍କୁ ସେନାରେ ଭର୍ତ୍ତି କରାଯାଉଛି । ଆଶ୍ଚର୍ଯ୍ୟକର କଥା ନିଯୁକ୍ତି ଦିଆଯାଉଥିବା ଯୁବକଙ୍କ ମଧ୍ୟରେ ଅନେକ ହାର୍ଟଟ୍ରାନ୍ସପରେଣ୍ଟ, ଡାଏବେଟିସ ସମେତ ଅନେକ ରୋଗରେ ପୀଡିତ । ୨୦୧୧ ପରେ ରୁଷରେ ଏହା ସବୁଠୁ ବଡ ସେନା ଭର୍ତ୍ତି ଅଭିଯାନ ।
ଏହି ଅଭିଯାନ ଜରିଆରେ ରୁଷର ସୈନ୍ୟ ଶକ୍ତିକୁ ୨୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପୁଟିନ ସରକାର ଲକ୍ଷ୍ୟ ରଖିଛନ୍ତି । ପୁଟିନ ଗତ ବର୍ଷ ରାଷ୍ଟ୍ରପତି ଭାବେ ଏହି ଆଦେଶର ଉଲ୍ଲେଖ କରିଥିଲେ, ଯାହା ଏବେ କାର୍ଯ୍ୟକାରୀ କରାଯାଉଛି । ରୁଷ ଗଣମାଧ୍ୟମ ଓ ମାନବାଧିକାର ସଂଗଠନଙ୍କ ଅନୁଯାୟୀ, ଏଥର ସେନାରେ ଭର୍ତ୍ତି ପୂର୍ବାପେକ୍ଷା ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ଚାଲିଛି ।
ଅଲଜଜିରାର ରିପୋର୍ଟ ଅନୁଯାୟୀ, ମସ୍କୋରେ ରହୁଥିବା ଜଣେ ୨୧ ବର୍ଷୀୟ ଯୁବକଙ୍କ କହିବା କଥା ତାଙ୍କୁ ହାଇପରଟେନସନ ପରି ରୋଗ ରହିଛି । ଏହା ସତ୍ତ୍ୱେ ବି ସେନାରେ ନିଯୁକ୍ତି ପାଇଁ ସମନ ପଠାଯାଇଛି । ତେଣୁ ସେ ଏବେ ଲୁଚି ଲୁଚି ରହିବାକୁ ବାଧ୍ୟ ହୋଇଛନ୍ତି । ଆଶା କରୁଛି ମେଡିକାଲ ଛୁଟି ପାଇଁ ଆବେଦନ କରି ପାରିବି ।
କଣ ୟୁକ୍ରେନ ଉପରେ ବଡ ଆକ୍ରମଣ ଯୋଜନାରେ ରୁଷ ?
ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରୁଛି ଯେ, ସୈନିକଙ୍କୁ ୟୁକ୍ରେନ ପଠାଯିବ ନାହିଁ, ମାତ୍ର ବିଶେଷଜ୍ଞଙ୍କ କହିବା କଥା ଏହି ପଦକ୍ଷେପ ୟୁକ୍ରେନ ସହ ଯୁଦ୍ଧକୁ ଆହୁରି ଟାଣିବା ପାଇଁ କରାଯାଉଛି । ୨୦୨୨ରୁ ଜାରି ଯୁଦ୍ଧରେ ରୁଷକୁ ବଡ ସଂଖ୍ୟାରେ ଜନଶକ୍ତିର ଆବଶ୍ୟକତା ପଡିଛି । ଅନୁମାନ ଅନୁସାରେ ରୁଷ ଗତ ତିନି ବର୍ଷରେ ୟୁକ୍ରେନ ସହ ଲଢେଇରେ ପାଖାପାଖି ଏକ ଲକ୍ଷ ସୈନିକଙ୍କୁ ହରାଇଛି । ଅନ୍ୟପଟେ ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ରୁଷ ୟୁକ୍ରେନ ସହ ଲଢେଇରେ ନିଜର ଅତି କମରେ ୫ ଲକ୍ଷ ସୈନିକଙ୍କୁ ହରାଇଛି ।