ଢାକା: ଆମେରିକାର ପ୍ରତିଷ୍ଠିତ ଟାଇମ୍ ପତ୍ରିକା ୨୦୨୫ ପାଇଁ ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏଲୋନ୍ ମସ୍କଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସହିତ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଏବଂ ଭାରତ ବିରୁଦ୍ଧରେ ବିଷ ଓଗାଳିଥିବା ବ୍ୟକ୍ତି ମହମ୍ମଦ ୟୁନୁସ୍ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଗତବର୍ଷ ଛାତ୍ର ବିଦ୍ରୋହ ପରେ ଶେଖ ହସିନାଙ୍କୁ ଗାଦିଚ୍ୟୁତ କରିବା ପରେ ବିଷାକ୍ତ ମହମ୍ମଦ ୟୁନୁସ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ହେବା ପରେ ତାଙ୍କୁ ଟାଇମ୍ ପତ୍ରିକାର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ଦିଆଯାଇଛି।
ଟାଇମରେ ପ୍ରକାଶିତ ଏକ ଲେଖାରେ, ପୂର୍ବତନ ଆମେରିକା ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ ମହମ୍ମଦ ୟୁନୁସଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଛାତ୍ରମାନଙ୍କ ହିଂସାତ୍ମକ ପ୍ରତିବାଦ ପରେ ବାଂଲାଦେଶକୁ ଗଣତନ୍ତ୍ର ଆଡକୁ ନେଇଯିବାରେ କ୍ଲିଣ୍ଟନ୍ ମହମ୍ମଦ ୟୁନୁସଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ତଥାପି, ବାଂଲାଦେଶର ନିଜସ୍ୱ ରାଜନୈତିକ ଦଳଗୁଡ଼ିକ ଏବେ ଦେଶରେ ଗଣତନ୍ତ୍ର ପୁନରୁଦ୍ଧାର ପାଇଁ ମହମ୍ମଦ ୟୁନୁସଙ୍କ ପ୍ରୟାସକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି।
"ଗତ ବର୍ଷ, ଛାତ୍ର-ନେତୃତ୍ୱାଧୀନ ଏକ ବିଦ୍ରୋହ ବାଂଲାଦେଶର ସ୍ୱେଚ୍ଛାଚାରୀ ପ୍ରଧାନମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିଥିଲା, ଏବଂ ଦେଶକୁ ଗଣତନ୍ତ୍ର ଆଡକୁ ନେଇଯିବା ପାଇଁ ଜଣେ ପ୍ରସିଦ୍ଧ ନେତାଙ୍କୁ ଛାଡିଥିଲା-ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ," କ୍ଲିଣ୍ଟନ୍ ଲେଖିଛନ୍ତି। ପୂର୍ବତନ ଆମେରିକାର ବୈଦେଶିକ ମନ୍ତ୍ରୀ ବାଂଲାଦେଶରେ ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା କରିବାରେ ମହମ୍ମଦ ୟୁନୁସଙ୍କ କାର୍ଯ୍ୟକୁ ମନେ ପକାଇଥିଲେ ଏବଂ ପ୍ରଶଂସା କରିଥିଲେ।
ଟାଇମ୍ ୧୦୦ ତାଲିକା ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ସେମାନଙ୍କର ପ୍ରଭାବ ଏବଂ ନେତୃତ୍ୱ ପାଇଁ ସମ୍ମାନିତ କରେ। ଏହି ବର୍ଷର ତାଲିକାରେ ରାଜନୀତି, ମନୋରଞ୍ଜନ, ବିଜ୍ଞାନ ଏବଂ ବ୍ୟବସାୟ ଜଗତର ଅନେକ ବିଶ୍ୱ ବ୍ୟକ୍ତିତ୍ୱଙ୍କୁ ସାମିଲ କରାଯାଇଛି, ପ୍ରତ୍ୟେକଙ୍କୁ ଗତ ବର୍ଷ ମଧ୍ୟରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଏବଂ ଅବଦାନ ପାଇଁ ସମ୍ମାନିତ କରାଯାଇଛି। କିନ୍ତୁ, ଏହି ବର୍ଷ ତାଲିକାରେ କୌଣସି ଭାରତୀୟଙ୍କ ନାମ ନାହିଁ।
ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କୁ କୋର୍ଟକୁ ଟାଣିଲେ ଭାରତୀୟ ସମେତ ଏହି ୪ଜଣ ଛାତ୍ର