ଆଜି ହେଉଛି ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିବସ । ତାଙ୍କର ଏହି ଜନ୍ମ ଦିବସରେ ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଅକୁହା କଥା । ଦାମୋଦରଦାସ ମୁଲଚାନ୍ଦ ମୋଦୀ ଓ ତାଙ୍କ ପତ୍ନୀ ହୀରାବେହେନ ମୋଦୀଙ୍କ ଗର୍ଭରୁ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ନେଇଥିଲେ ନରେନ୍ଦ୍ର ଦାମୋଦରଦାସ ମୋଦୀ। ହୀରାବେହେନ ମୋଦୀଙ୍କ ଛଅ ସନ୍ତାନରୁ ସେ ଥିଲେ ତୃତୀୟ ସନ୍ତାନ । ତାଙ୍କ ପରିବାର ଏକ ମଧ୍ୟବିତ ପରିବାର ଥିବା ସତ୍ତ୍ୱେ ତାଙ୍କର ଆଗ୍ରହ,ନିଷ୍ଠା ଏବଂ ନିଃସ୍ୱାର୍ଥପରତା ଭାବ ତାଙ୍କୁ ସଫଳତାର ବାଟ ଦେଖାଇଥିଲା ।
ଛାତ୍ରାବସ୍ଥାରୁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଭ୍ୟ ଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ ପରେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଯୁବାବସ୍ଥାରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ରେ ଯୋଗଦେଇ ଭ୍ରଷ୍ଟାଚାର ବିରୋଧୀ ନବ ନିର୍ମାଣ ଆନ୍ଦୋଳନରେ ଭାଗନେଇଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ସାମାଜିକ- ସାଂସ୍କୃତିକ ସଂଗଠନରେ ସେ ଯୋଗ ଦେଇ ଭାରତର ସାମାଜିକ ତଥା ସାଂସ୍କୃତିକ ବିକାଶଧାରା ଉପରେ ବିଶେଷ ଗୁରୁତ୍ୱପ୍ରଦାନ କରିଥିଲେ ଓ ନିଜକୁ ନିସ୍ୱାର୍ଥପର, ସାମାଜିକ ଦାୟିତ୍ୱ ଓ ଜାତୀୟତାବୋଧ କାର୍ଯ୍ୟରେ ନିୟୋଜିତ କଲେ । ଆରଏସ୍ଏସରେ କାର୍ଯ୍ୟ କରୁଥିବା ସମୟରେ ନରେନ୍ଦ୍ର ମୋଦୀ ବିଭିନ୍ନ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ତନ୍ମଧ୍ୟରୁ ୧୯୭୪ର ନବ ନିର୍ମାଣ ଦୁର୍ନିତୀ ବିରୁଦ୍ଧରେ ଆନ୍ଦୋଳନ ଏବଂ ସମସ୍ୟା ବହୁଳ ୧୯ମାସ (ଜୁନ୍ ୧୯୭୫ରୁ ଜାନୁୟାରୀ ୧୯୭୭) ଦୀର୍ଘକାଳୀନ ଜରୁରୀକାଳୀନ ପରିସ୍ଥିତିରେ ଯେତେବେଳେ ଭାରତୀୟ ନାଗରିକଙ୍କ ଜୀବନ ଛନ୍ଦି ହୋଇପଡ଼ିଥିଲା, ସେତେବେଳେ ସେ ଗଣତନ୍ତ୍ରର ଭାବମୂତ୍ତିର୍କୁ ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ନିଜକୁ କିଛିଦିନ ଧରି ଆତ୍ମଗୋପନ ରଖି ସେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏହି ଆନ୍ଦୋଳନକୁ ଜାରି ରଖିଥିଲେ । ତାଙ୍କର ଏହି ନିଃସ୍ୱାର୍ଥପରତା ଓ ଦେଶବାସୀଙ୍କ ପାଇଁ ଅତ୍ମୀୟତା ତାଙ୍କୁ ରାଜନୀତି ଦୁନିଆରେ ପାଦ ଦେବାକୁ ସାହାଯ୍ୟ କରିଥିଲା । ୧୯୮୭ ମସିହାରେ ସେ ଭାଜପା ଯୋଗଦାନ କରି ତାଙ୍କର ରାଜନୈତିକ ଜୀବନ ଆରମ୍ଭ କଲେ। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଗୁଜରାଟ ୟୁନିଟ୍ ର ସାଧାରଣ ସମ୍ପାଦକ ସ୍ତରରେ ଅବତୀର୍ଣ୍ଣ ହେଲେ । ଏହି ସମୟରେ ସେ ଜଣେ ଭଲ ସଂଗଠକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି କରିପାରିଥିଲେ। ସେ ନିଜର ଦଳକୁ ଏକ ଉପଯୁକ୍ତ ମାର୍ଗରେ ପରିଚାଳିତ କରାଇବା ପାଇଁ ଅନେକଗୁଡ଼ିଏ ଆହ୍ୱାନମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ଦଳଟି ରାଜନୈତିକ ସଫଳତା ହାସଲ କରିବାକୁ ଲାଗିଥିଲା ।
୧୯୮୮ ଓ ୧୯୯୫ ମଧ୍ୟରେ ଗୁଜରାଟ ରାଜ୍ୟର ଶାସକ ଦଳ ଗଠନ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରି ସଫଳ ହୋଇଥିବାରୁ ମୋଦୀଙ୍କୁ ଜଣେ ପୋଖତ ରଣକୌଶଳବିତ ଭାବରେ ସ୍ୱୀକୃତି ପ୍ରଦାନ କରାଗଲା। ୧୯୯୫ରେ ସେ ଦଳର ରାଷ୍ଟ୍ରୀୟ ସଂପାଦକ ପଦରେ ନିଯୁକ୍ତ ହେଲେ ଏବଂ ଭାରତର ପ୍ରମୁଖ ପାଞ୍ଚଟି ରାଜ୍ୟର ଦାୟିତ୍ୱରେ ରହିଲେ । ୧୯୯୮ରେ ସେ ସଂସ୍ଥାର ସାଧାରଣ ସଂପାଦକ ପଦକୁ ଉନ୍ନୀତ ହୋଇଥିଲେ । ଅକ୍ଟୋବର ୨୦୦୧ରେ ତାଙ୍କୁ ଦଳ ପକ୍ଷରୁ ଗୁଜରାଟରେ ନେତୃତ୍ୱ ନେବା ପାଇଁ ଆହ୍ୱାନ କରାଗଲା । ଯେତେବେଳେ କି ଗୁଜରାଟରେ ପ୍ରାକୃତିକ ବିପର୍ଯ୍ୟୟ ଓ ଦୁବିର୍ପାକ ଦ୍ୱାରା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଅନ୍ୟ ପକ୍ଷରେ ନରେନ୍ଦ୍ର ମୋଦୀ ବିଚକ୍ଷଣ କୌଶଳନୀତି ଅବଲମ୍ବନ କରି ଏହି ଆହ୍ୱାନକୁ ସଫଳତାର ସହିତ ମୁକାବିଲା କରିଥିଲେ । ତାଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ଥିଲା ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କଲେ ।
୨୦୦୧ରେ ରାଜ୍ୟରେ ଦେଖା ଦେଇଥିବା ବଡ଼ ଭୂମିକମ୍ପରେ ପ୍ରଭାବିତ ଅଞ୍ଚଳ ତଥା ଲୋକମାନଙ୍କର ପୁନଃନିର୍ମାଣ ଓ ପୁନଃଥଇଥାନ କାର୍ଯ୍ୟ ପାଇଁ ସେ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାଙ୍କ ପାଇଁ ଏହି ସମସ୍ୟାଟି ଏକ ବଡ଼ ଆହ୍ୱାନ ଥିଲା ସେତେବେଳେ ୨୦୦୧ର ଜାନୁଆରୀ ମାସରେ ଆସିଥିବା ଏହି ଭୂମିକମ୍ପରେ ଭୁଜ୍ ସହରଟି ପ୍ରାୟ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା ଓ ହଜାର ହଜାର ଲୋକ ବାସ ହରା ହୋଇ ଅସ୍ଥାୟୀ ବାସ ଗୃହରେ ଦିନ ଯାପନ କରୁଥିଲେ। ମୋଦୀଙ୍କ ନେତୃତ୍ୱରେ ଗୁଜରାଟ ଶିକ୍ଷା, କୃଷି, ସ୍ୱାସ୍ଥ୍ୟସେବା ଏବଂ ଅନେକଗୁଡ଼ିଏ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଥିଲା । ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ବିକାଶ ଲାଗି ଅନେକ କାର୍ଯ୍ୟକ୍ରମ ପାଇଁ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରକାର ପୁରସ୍କାର ପାଇଛନ୍ତି । ୨୦୧୪ ରେ ସେ ପ୍ରଧାନମନ୍ତ୍ରୀ ଆସନ ଗ୍ରହଣ କରିଥିଲେ । ୨୦୧୯ରେ ମଧ୍ୟ ସେ ପୁନର୍ବାର ପ୍ରଧାନମନ୍ତ୍ରୀଙ୍କ ଆସନରେ ଅଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ହିସାବରେ ଖାଲି ଭାରତ ନୁହେଁ ସାରା ବିଶ୍ୱରେ ସେ ସୁପରିଚିତ ।
ଅଧିକ ପଢନ୍ତୁ ;ଜନ୍ମଦିନ ଅବସରରେ ସାରା ଦେଶବାସୀଙ୍କୁ ନୂଆ ଉପହାର ଭେଟି ଦେବେ ପ୍ରଧାନମନ୍ତ୍ରୀ