ନୂଆଦିଲ୍ଲୀ: ଭାରତର ନୌସେନା ଶକ୍ତିରେ ଯୋଡ଼ି ହେବ ଆଉ ୨୬ଟି ରାଫେଲ୍ ଯୁଦ୍ଧ ବିମାନ । କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (ସିସିଏସ୍) ଭାରତୀୟ ନୌସେନା ପାଇଁ ଫ୍ରାନସଠାରୁ ୨୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ମଞ୍ଜୁରି ପ୍ରଦାନ କରିଛି । ଏଥିପାଇଁ ଦୁଇ ଦେଶ ମଧ୍ୟରେ ୬୩,୦୦୦ କୋଟି ଟଙ୍କାର ବଡ଼ ଚୁକ୍ତି ହେବ । ଏହାକୁ ଏବେ ଅନ୍ତିମ ରୂପ ଦିଆଯିବାର ରହିଛି ।
ଏହି ଚୁକ୍ତିରେ ଫ୍ରାନସ ୨୨ଟି ସିଙ୍ଗଲ୍ ସିଟର୍ ଓ ୪ଟି ଡବଲ ସିଟର୍ ରାଫେଲ ଫାଇଟର୍ ବିମାନ ଭାରତକୁ ଦେବ । ଏହାକୁ ଆଇଏନ୍ଏସ୍ ବିକ୍ରାନ୍ତ ଏୟାରକ୍ରାଫ୍ଟ ରେ ନିୟୋଜିତ କରାଯିବ । ମୋଟ ୨୬ଟି ରାଫେଲକୁ ୬୩ ହଜାର କୋଟି ଟଙ୍କାରେ ଭାରତ କିଣିବ । ଏହା ବ୍ୟତୀତ, ଏଥିରେ ଜେଟ୍ଗୁଡ଼ିକର ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ ସହାୟତା, ନୌସେନା କର୍ମଚାରୀଙ୍କ ତାଲିମ ଏବଂ ଭାରତରେ ନିର୍ମିତ ହେବାକୁ ଥିବା କିଛି ଅଂଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହି ଚୁକ୍ତି ଅନୁଯାୟୀ, ଭାରତୀୟ ନୌସେନା କର୍ମଚାରୀମାନଙ୍କୁ ରାଫେଲ ଏମ ଉଡ଼ାଇବା ଏବଂ ପରିଚାଳନା କରିବା ପାଇଁ ମଧ୍ୟ ତାଲିମ ଦିଆଯିବ ।
ଖୁବ ଶୀଘ୍ର ଏ ନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବାର ସୂଚନା ରହିଛି । ଯଦି ସବୁକିଛି ସଠିକ୍ ରହିଲା ତେବେ ୨୦୨୯ରେ ଫ୍ରାନସ ଏହାକୁ ଭାରତକୁ ହସ୍ତାନ୍ତର କରିବା ଆରମ୍ଭ କରିବ ଏବଂ ୨୦୩୧ ସୁଦ୍ଧା ସମସ୍ତ ୨୬ଟି ଜେଟ୍ ନୌସେନାକୁ ମିଳିଯିବାର ଆକଳନ କରାଯାଉଛି ।
ରାଫେଲ୍ ବିମାନ ପୁରୁଣା MiG-29K ଲଢ଼ୁଆ ବିମାନଗୁଡ଼ିକର ସ୍ଥାନ ନେବ । ରାଫେଲ ଏମ୍ ଜେଟ୍ଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ବିମାନ ବାହକ ଜାହାଜରୁ ଉଡ଼ାଣ ଏବଂ ଅବତରଣ ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ଶକ୍ତିଶାଳୀ ଲ୍ୟାଣ୍ଡିଂ ଗିଅର, ଆରେଷ୍ଟର ହୁକ୍ ଏବଂ STOBAR ପ୍ରଯୁକ୍ତିବିଦ୍ୟା (ଯାହା ବିମାନକୁ କମ ଦୂରତାରୁ ଉଡ଼ାଣ ଏବଂ ଦ୍ରୁତ ଅବତରଣ କରିବାରେ ସାହାଯ୍ୟ କରେ) ଅନ୍ତର୍ଭୁକ୍ତ ।