ନୂଆଦିଲ୍ଲୀ: ଓ୍ଵକଫ ସଂଶୋଧିତ ଅଧିନିୟମ ୨୦୨୫ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ଆବେଦନକାରୀଙ୍କୁ ଗୁରୁବାର ବଡ଼ ଆଶ୍ଵସ୍ତି ମିଳିଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଓ୍ଵକଫ ବୋର୍ଡରେ କୌଣସି ପ୍ରକାରର ନିଯୁକ୍ତି ଉପରେ ରୋକ୍ ଲଗାଯିବା ସହ ଓ୍ଵକପ ବାୟ ୟୁଜରର ସଂପତ୍ତିକୁ ମଧ୍ୟ ଡିନୋଟିଫାଏ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ଉପରେ କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି କୋର୍ଟଙ୍କୁ କେନ୍ଦ୍ର ସରକାର ଭରସା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କୋର୍ଟଙ୍କୁ ମାମଲା ଉପରେ ସ୍ଥଗିତାଦେଶ ନ ଲଗାଇ ଜବାବ ଦେବାକୁ ସାତ ଦିନର ସମୟ ମାଗିଛନ୍ତି। ସୁପ୍ରିମକୋର୍ଟ ଓ୍ଵକଫ ଆକ୍ଟ ଉପରେ ଉତ୍ତର ରଖିବାକୁ କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ସାତ ଦିନର ମହଲତ ଦେଇଛନ୍ତି।
ସୁପ୍ରିମକୋର୍ଟରେ ଓ୍ଵକଫ ଆଇନ ଉପରେ ଦ୍ଵିତୀୟ ଦିନର ଶୁଣାଣି ଅପରାହ୍ଣ ୨ଟାରୁ ଆରମ୍ଭ ହୋଇଥିଲା। କୋର୍ଟ କହିଛନ୍ତି, ଆବେଦନକାରୀ ପାଞ୍ଚ ଦିନ ଭିତରେ କେନ୍ଦ୍ରର ଜବାବ ଉପରେ ନିଜର ଉତ୍ତର ରଖି ପାରିବେ। ଏହା ପରେ ମାମଲାକୁ ଅନ୍ତରୀଣ ଆଦେଶ ପାଇଁ ସୂଚୀବଦ୍ଧ କରାଯିବ। ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ଏମିତି ପ୍ରସଙ୍ଗରେ ବିଚାର କରାଯିବାର ଆବଶ୍ୟକତା ରହିଛି। ମିଲର୍ଡଙ୍କୁ ଇତିହାସ ଉପରେ ବିଚାର କରିବା ଉଚିତ୍। ଆମେ ସରକାର ଭାବେ ଲୋକଙ୍କ ପ୍ରତି ଉତ୍ତରଦାୟୀ ଅଛୁ। ଗାଁ ଏବଂ ଗାଁକୁ ଓ୍ଵକଫ ଭାବେ ନିଆଯାଇଥାଏ। ଏହା ଆଇନର ଏକ ଅଂଶ।
ଲାଇଭ ଲ ଅନୁସାରେ ସଲିସିଟର ଜେନେରାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଜବାବ ଦାଖଲ ପାଇଁ ସାତ ଦିନର ସମୟ ଦେବାକୁ ଦାବି କରିଛନ୍ତି। ତୁଷାର ମେହଟ୍ଟା କହିଛନ୍ତି ଆମେ ଅଦାଲତଙ୍କୁ ଆଶ୍ଵସ୍ତି ଦେଉଛୁ ଯେ, ଧାରା ୯ ଓ ଧାରା ୧୪ ଆଧାରରେ ପରିଷଦ ଓ ଓ୍ଵକଫ ବୋର୍ଡରେ କୌଣସି ନିଯୁକ୍ତି ହେବ ନାହିଁ। ଓ୍ଵକଫ ବାୟ ୟୁଜରକୁ ନେଇ ପୂର୍ବରୁ ଯେଉଁ ନିୟମ ରହିଛି ସେଥିରେ ବର୍ତ୍ତମାନ କୌଣସି ପରିବର୍ତ୍ତନ କରାଯିବ ନାହିଁ। ସଂପତ୍ତି ପରିବର୍ତ୍ତନ ଉପରେ ବି ରୋକ୍ ରହିବ। ସଲିସିଟର ଜେନେରାଲଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସାତ ଦିନର ସମୟ ଦେଇଛନ୍ତି