ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକଙ୍କୁ ବଡ ଆଶ୍ୱସ୍ତି । ନିଯୁକ୍ତି ଘୋଟାଲାକୁ ନେଇ ନିଜ ଆଦେଶରେ ସୁପ୍ରିମକୋର୍ଟ କିଛି ରିହାତି ଦେଇଛନ୍ତି । ଶିକ୍ଷା ବର୍ଷ ଜାରି ରହିବା ଆଧାରରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ନିଜର ଶିକ୍ଷାଦାନ ଜାରି ରଖିବାକୁ ଅନୁମତି ଦେଇଛନ୍ତି । କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଗ୍ରୁପ ସି ଓ ଗ୍ରୁପ ଡିର କର୍ମଚାରୀଙ୍କୁ କୌଣସି ଆଶ୍ୱସ୍ତି ଦିଆଯିବ ନାହିଁ ।
ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନାଙ୍କ ନେତୃତ୍ୱାଧୀନ ପୀଠ ନିଜ ଆଦେଶରେ ଏହି ସର୍ତ୍ତ ରଖିଛନ୍ତି ଯେ, ରାଜ୍ୟ ସରକାର ମେ ୩୧ ପର୍ଯ୍ୟନ୍ତ ନୂଆ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରନ୍ତୁ । ଆଉ ନୂଆ ନିଯୁକ୍ତି ଡିସେମ୍ବର ୩୧ ତାରିଖ ସୁଦ୍ଧା ପୂରା ହେବା ଦରକାର । ଯଦି ରାଜ୍ୟ ସରକାର ଏହାର ପାଳନ କରନ୍ତି ତେବେ କୋର୍ଟ କଠୋରତାର ସହ ଏହା ପାଳନ କରିବ ।
ଚଳିତ ବର୍ଷ ଏପ୍ରିଲ ୩ ତାରିଖରେ ନିଜ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ୨୫ ହଜାରରୁ ଅଧିକ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ କରି ଦେଇଥିଲେ । ଏବେ ଛାତ୍ର-ଛାତ୍ରୀଙ୍କ ପାଠପଢାରେ କ୍ଷତି ହେବା ରାଜ୍ୟ ସରକାରଙ୍କ ଅନୁରୋଧ ଉପରେ ସୁପ୍ରିମକୋର୍ଟ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କୁ ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ନିଜ ପଦରେ ରହିବାକୁ ଅନୁମତି ଦେଇଛନ୍ତି ।
୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଜରିଆରେ ୨୩ ଲକ୍ଷରୁ ଅଧିକ ଲୋକ ପରୀକ୍ଷା ଦେଇଥିଲେ । ଏଥିରେ ୨୫ ହଜାରୁ ଅଧିକ ଆଶାୟୀଙ୍କୁ ଚାକିରି ମିଳିଥିଲା । ତେବେ ନିଯୁକ୍ତିରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ମାମଲା ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ନିଯୁକ୍ତିରେ ଦୁର୍ନୀତି ହୋଇଥିବା ପ୍ରମାଣିତ ହେବା ପରେ ସୁପ୍ରିମକୋର୍ଟ ୨୦୧୬ରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭ୍ରଷ୍ଟ ଦର୍ଶାଇ ଶିକ୍ଷକ ଓ ଅଣ ଶିକ୍ଷକ ନିଯୁକ୍ତିକୁ ରଦ୍ଦ କରିଥିଲେ ।