ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଗାଜିଆବାଦରେ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି। ଗାଜିଆବାଦର ରାଧାକୃଞ୍ଜରେ ଜଣେ ରିୟଲ ଇଷ୍ଟେଟ୍ ବ୍ୟବସାୟୀ ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ତେବେ ନିକଟରେ ଏକ ସୁଇସାଇଡ଼ ନୋଟ ରହିଥିଲା, ଯେଉଁଥିରେ ସେ ଏଭଳି ଚରମ ନିଷ୍ପତି ନେବା ପଛର କାରଣ ଉଲ୍ଲେଖ କରିଛନ୍ତି।
ସୂଚନା ମୁତାବିକ, ୪୬ ବର୍ଷୀୟ କୁଲଦୀପ ତ୍ୟାଗୀ ବୁଧବାର (୧୬ ଅପ୍ରେଲ) ସକାଳେ ୧୧.୩୦ଟା ବେଳେ ପ୍ରଥମେ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ଗୁଳିମାଡ଼ ଶୁଣିବା ପରେ ତାଙ୍କ ପୁଅମାନେ ଘରେ ଉପସ୍ଥିତ ଥିଲେ ଏବଂ ଗୁଳିର ଶବ୍ଦ ଶୁଣି ସେମାନେ ତାଙ୍କ ପିତାମାତାଙ୍କ କୋଠରୀକୁ ଦୌଡ଼ି ଯାଇଥିଲେ। କୁଲଦୀପଙ୍କ ମୃତଦେହ ଚଟାଣରେ ଏବଂ ଅଂଶୁଙ୍କ ମୃତଦେହ ଶଯ୍ୟା ଉପରେ ମିଳିଥିଲା। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେଇ କୋଠରୀରୁ ଏକ ସୁଇସାଇଡ଼ ନୋଟ ମଧ୍ୟ ପୋଲିସ ଜବତ କରିଛି। ଯେଉଁଥିରେ ଏଭଳି ନିଷ୍ପତି ନେବା ଫଛର ଚାଞ୍ଚଲ୍ୟକର ଖୁଲାସା ରହିଛି।
ସୁଇସାଇଡ଼ ନୋଟରେ ଲେଖା ରହିଛି ଯେ, କୁଲଦୀପ ତ୍ୟାଗୀ ଜାଣିବାକୁ ପାଇଲେ ସେ କ୍ୟାନସରରେ ପୀଡ଼ିତ ବୋଲି। କ୍ୟାନସର ଭଳି ଏକ ବ୍ୟୟବହୁଳ ଚିକିତ୍ସାରେ ସେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନ ଥିଲେ। କାରଣ ଏହି ରୋଗରେ ସୁସ୍ଥ ହେବାର ସମ୍ଭାବନା ଅନିଶ୍ଚିତ। ତେଣୁ ସେ ବଞ୍ଚିରହି ଚିକିତ୍ସା ବାବଦରେ ଟଙ୍କା ଗଣିବା ଅପେକ୍ଷା ମୃତ୍ୟୁକୁ ଆପଣାଇଲେ। ଏଥିସହ ସେ ନିଜ ପତ୍ନୀଙ୍କୁ ବହୁତ ଭଲପାଉଥିଲେ, ଏବଂ ତାଙ୍କ ସହ ଚିରକାଳ ରହିବାକୁ କଥା ଦେଇଥିଲେ, ଏଥିପାଇଁ ତାଙ୍କୁ ସାଙ୍ଗରେ ନେଉଛି ବୋଲି ଚିଠିରେ ଲେଖିଛନ୍ତି। ଏହା ମୋର ନିଷ୍ପତି, ଏଥିରେ ମୋ ପିଲା ଦାୟୀ ନୁହଁନ୍ତି ବୋଲି ସୁଇସାଇଟ୍ ନୋଟ୍ ଛାଡ଼ିଥିଲେ।
ତେବେ ଏହି ଘଟଣାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ ପୂନମ ମିଶ୍ରା କହିଛନ୍ତି, “କୁଲଦୀପ ତ୍ୟାଗୀ ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭର ସାହାଯ୍ୟରେ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଏବଂ ପରେ ନିଜକୁ ଗୁଳି କରିଥିଲେ। ଏକ ଆତ୍ମହତ୍ୟା ନୋଟ୍ରେ କୁଲଦୀପ ତ୍ୟାଗୀ କହିଥିଲେ ଯେ ସେ କ୍ୟାନସରରେ ପୀଡ଼ିତ ଥିଲେ ଏବଂ ତାଙ୍କ ପରିବାର ସଦସ୍ୟମାନେ ଏହା ଜାଣି ନଥିଲେ। ସେ ଚାହୁଁ ନଥିଲେ ଯେ ତାଙ୍କ ଚିକିତ୍ସା ପାଇଁ ଟଙ୍କା ଖର୍ଚ୍ଚ ହେଉ, ତେଣୁ ସେ ତାଙ୍କ ପତ୍ନୀଙ୍କୁ ଏବଂ ନିଜକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଆମେ ଏହି ମାମଲାର ତଦନ୍ତ କରୁଛୁ,” ସେ କହିଥିଲେ।