ଅଗରତଲା: ଭାରତ-ବାଂଲାଦେଶ ସୀମାରେ ଏକ ବଡ଼ଧରଣର ନିଶାଦ୍ରବ୍ୟ ଚୋରା ଚାଲାଣ ରୋକିବାରେ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ସଫଳତା ହାସଲ କରିଛି। ସୀମାପାର ନିଶାଦ୍ରବ୍ୟ ଚାଲାଣ ଉଦ୍ୟମକୁ ସୁରକ୍ଷା ବାହିନୀର ଯବାନମାନେ ବିଫଳ କରିଛନ୍ତି। ସୁରକ୍ଷା ବାହିନୀ ୪.୩୮ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରିଛନ୍ତି। ବିଏସ୍ଏଫ୍ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି।
ତ୍ରିପୁରାର ସେପାହିଜାଲା ଜିଲ୍ଲା ଅନ୍ତର୍ଗତ ସୀମା ଆଉଟ ପୋଷ୍ଟ ଏନସି ନଗରର ନିକଟ ଭାରତ-ବାଂଲାଦେଶ ସୀମା ଦେଇ ନିଶାଦ୍ରବ୍ୟ ଚାଲାଣ ହେଉଥିବାର ଖବର ନେଇ ବିଏସ୍ଏଫ୍ର ଯବାନମାନଙ୍କୁ କୌଣସି ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲେ । ଏହା ପରେ ବିଏସଏଫ ଯବାନମାନେ ନିଶାଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ଯୋଜନାକୁ ବିଫଳ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ଏବଂ ସୀମା ନିକଟରେ ନଜର ରଖିଥିଲେ।
ତେବେ ବିଏସ୍ଏଫ୍ ସେମାନଙ୍କୁ ଅନୁସରଣ କରୁଥିବା ନେଇ ଖବର ପାଇବା ପରେ ଚାଲାଣକାରୀମାନେ ନିଶାଦ୍ରବ୍ୟକୁ ଛାଡ଼ି ପଳାଇ ଯାଇଥିଲେ। ଏହା ପରେ ବିଏସଏଫ ଯବାନମାନେ ନିଶାଦ୍ରବ୍ୟକୁ ଜବତ କରିଥିଲେ। ଘଟଣାସ୍ଥଳରୁ ୨୧ ପ୍ୟାକେଟ ନିଶାଦ୍ରବ୍ୟ ଜବତ ହୋଇଥିଲା ଯାହାର ମୂଲ୍ୟ ୪ କୋଟି ୩୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ସୀମାରେ ବିଏସ୍ଏଫ୍ ଯବାନମାନେ ସର୍ଚ୍ଚଅପରେଶନ ଜାରି ରଖିଛନ୍ତି। ଏହା ପୂର୍ବରୁ ମଧ୍ୟ ତ୍ରିପୁରା ସୀମାର ବିଭିନ୍ନ ସ୍ଥାନରୁ ଚୋରା ସାମଗ୍ରୀକୁ ବିଏସଏଫ ଯବାନମାନେ ଜବତ କରିଛନ୍ତି। ସେହିପରି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟର ସହଯୋଗରେ ଆସାମ ରାଇଫଲ୍ସ ମଧ୍ୟ ପୂର୍ବରୁ ୬ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ସହ ୨ ଜଣ ଅଭିଯୁକ୍ତ ବାର ହୁସେନ ଓ ମହମ୍ମଦ ଜୁବେର ଅହମଦଙ୍କୁ ଗିରଫ କରିଥିଲା ବୋଲି ତ୍ରିପୁରାର ତେଲିଆମୁରା କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ସୀମାପାର ଚୋରା ଚାଲାଣ ରୋକିବା ସହିତ ଜାତୀୟ ସୁରକ୍ଷା ପାଇଁ ବିଏସଏଫର ଯବାନମାନେ ଏହି ଯୋଜନାକୁ ବିଫଳ କରିଛନ୍ତି। ଜବତ ହୋଇଥିବା ନିଶାଦ୍ରବ୍ୟକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ଏଜେନ୍ସିକୁ ଦିଆଯାଇଛି। ବିଏସଏଫର ଯବାନମାନେ ଏବେ ସଜାଗ ହେଉଛନ୍ତି।