ନୂଆଦିଲ୍ଲୀ: ନିଜର ତଥ୍ୟ ଯାଞ୍ଚ ପାଇଁ ଆଉ ଆଧାରକାର୍ଡ ଦେବାର ଆବଶ୍ୟକତା ନାହିଁ । କେବଳ ହାତରେ ମୋବାଇଲ ଥିଲେ ସବୁକିଛି ତଥ୍ୟ ମିଳିଯିବ । କେନ୍ଦ୍ର ସରକାର ନୂତନ ଆଧାରକାର୍ଡ ଆପ୍ ଲଞ୍ଚ୍ କରିଛନ୍ତି । କ୍ୟୁଆର୍ କୋଡ୍ ସ୍କାନ୍ କଲେ ଆଧାର କାର୍ଡର ତଥ୍ୟ ମିଳିପାରିବ । ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ମନ୍ତ୍ରୀ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି କହିଛନ୍ତି, ଏବେ ଆଉ ତଥ୍ୟ ଯାଞ୍ଚ ପାଇଁ ଆଧାର କାର୍ଡ କିମ୍ବା ତାର ଜେରକ୍ସ କପିର ଆବଶ୍ୟକ ପଡ଼ିବ ନାହିଁ । ନୂତନ ଆଧାରକାର୍ଡ ଆପ୍ ଜରିଆରେ ସମସ୍ତ ତଥ୍ୟ ମିଳିଯିବ । ଭିଡ଼ିଓରେ ଏହି ଆପ୍ ର କେମିତି ବ୍ୟବହାର ତାହା ଦେଖାଯାଇଛି । ପୂର୍ବରୁ ମଧ୍ୟ ସରକାର ଆଧାରକାର୍ଡକୁ ନେଇ ଅନେକ ସଂସ୍କାର ଆଣିଛନ୍ତି । ଏହି ଆପ୍ ଶତ ପ୍ରତିଶତ ଡିଜିଟାଲ୍ ଏବଂ ସୁରକ୍ଷିତ ବୋଲି କହିଛନ୍ତି ମନ୍ତ୍ରୀ ।
ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ସହଯୋଗରେ ନିର୍ମିତ ଏହି ଆପ୍ରେ QR କୋଡ୍-ଆଧାରିତ ତୁରନ୍ତ ଯାଞ୍ଚ ଏବଂ ପ୍ରମାଣ ପାଇଁ ରିଅଲ୍ ଟାଇମ୍ ଫେସ୍ ଆଇଡି ସୁବିଧା ରହିଛି । ଏଥିପାଇଁ କାହାକୁ ହାର୍ଡ କପି କିମ୍ବା ଜେରକ୍ସ କପି ସାଙ୍ଗରେ ରଖିବାର ଆବଶ୍ୟକତାକୁ ଦୂର କରିବ ।
ଏହି ପ୍ରୟାସ ଆଧାରକାର୍ଡକୁ ନେଇ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଦୂର କରିବ ବୋଲି ଆଶା କରାଯାଉଛି । କାରଣ ପ୍ରାୟ ସମସ୍ତ କାର୍ଯ୍ୟରେ ଆଧାରକାର୍ଡ଼ ଦେଖାଇବା ବର୍ତ୍ତମାନ ବାଧ୍ୟତାମୂଳକ ହୋଇଥିବାବେଳେ ଆଧାରକାର୍ଡ ଆପ୍ ଏହି ସମସ୍ୟାକୁ ଦୂର କରିବା ବୋଲି କୁହାଯାଉଛି ।