ନୂଆଦିଲ୍ଲୀ: ବେଲଜିୟମରେ ଗିରଫ ହୋଇଥିବା ମେହୁଲ ଚୋକସୀକୁ ଭାରତକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତ ସରକାର ଏଥିପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଭାରତ ପକ୍ଷରୁ ଆବେଦନ କରାଯାଇଥିବାର ବେଲଜିୟମ ସଂଘୀୟ ଲୋକ ସେବା ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଭାରତ ସରକାର ପକ୍ଷରୁ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରାଯାଇଛି । ଏଥିରେ ମୁମ୍ବାଇ କୋର୍ଟଙ୍କ ଆରେଷ୍ଟ ୱାରେଣ୍ଟ ମଧ୍ୟ ରହିଛି ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩, ୦୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ମେହୁଲ ଅଭିଯୁକ୍ତ ଅଟନ୍ତି । ସେ ୨୦୧୮ ଠାରୁ ଏଣ୍ଟିଗୁଆରେ ରହୁଛନ୍ତି । ତାଙ୍କୁ ଏପ୍ରିଲ ୧୨, ଶନିବାର ଗିରଫ କରାଯାଇ ହେପାଜତରେ ରଖାଯାଇଛି ।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଚୋକସୀଙ୍କ ଗିରଫଦାରୀକୁ ଭାରତ ପାଇଁ ଏକ କୂଟନୈତିକ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବୈଦେଶିକ ନୀତି ଅଧୀନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ।
ମେହୁଲଙ୍କ ପ୍ରତ୍ୟାବର୍ତ୍ତନ ଏତେ ସହଜ ହେବନି ବୋଲି କହିଛନ୍ତି ତାଙ୍କ ଓକିଲ ବିଜୟ ଅଗ୍ରୱାଲ । ଏହା ଯଦି ତାଙ୍କୁ ଭାରତ ଅଣାଯାଏ ତେବେ ଏହା ତାଙ୍କର ମାନବାଧିକାର ଉଲ୍ଲଂଘନ ହେବ ବୋଲି ସେ କହିଛନ୍ତି । ଆମେ ସବୁବେଳେ କୋର୍ଟକୁ କହିଛୁ ଯେ ମେହୁଲ ତଦନ୍ତରେ ଯୋଗଦେବାକୁ ପ୍ରସ୍ତୁତ, କିନ୍ତୁ ସ୍ୱାସ୍ଥ୍ୟଗତ ଅବସ୍ଥା ଯୋଗୁଁ ସେ ଯାତ୍ରା କରିପାରିବେ ନାହିଁ । ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତଦନ୍ତରେ ଯୋଗଦେବେ । ସେ ଏବେ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ତାଙ୍କ ହେପାଜତରେ ନ ରଖିବାକୁ ଆବେଦନ କରାଯିବ । ଆବେଦନର ସ୍ପଷ୍ଟ ଭାବରେ କୁହାଯିବ କି ମେହୁଲ ଚୋକସୀ ପଳାଇଯିବାର କୌଣସି ଆଶଙ୍କା ନାହିଁ ।