ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗ ପକ୍ଷରୁ ଆଜି ରାଜଧାନୀ ଦିଲ୍ଲୀ ସମେତ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ସୂଚନା ଜାରି ହୋଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟଗୁଡିକ ମଧ୍ୟରେ ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନକୁ ସତର୍କ ସୂଚନା ଦିଆଯାଇଛି । ସେହିପରି ରାଜସ୍ଥାନର ୨୦ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲିଠାରୁ ଉତ୍ତର-ପଶ୍ଚିମ ଭାରତରେ ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇବ । ଏନେଇ ପାଣିପାଗ ଅଧିକାରୀମାନେ ସୂଚନା ଦେଇଛନ୍ତି ।
ରାଜଧାନୀ ଦିଲ୍ଲୀରେ ତାପମାତ୍ରା ବୃଦ୍ଧି ଏଲ୍ ନିନୋ ପାଇଁ ହେଉନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଆଗାମୀ ଦିନରେ ଅସହ୍ୟ ଗରମ ଓ ଗୁଳୁଗୁଳି ହେବ ବୋଲି ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ପାଣିପାଗର ପୂର୍ବାନୁମାନ ଅନୁଯାୟୀ ୨୦୨୫ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା ଅଧିକ ଅନୁଭୂତ ହେବ । ଅସହ୍ୟ ତାପମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବ । ଗ୍ରୀଷ୍ମ ପ୍ରବାହ ପାଇଁ ଲୋକମାନଙ୍କୁ ସତର୍କ କରାଯାଇଛି ।
ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁସାରେ, ଆସନ୍ତା ଏପ୍ରିଲ ୧୦ ତାରିଖରେ ରାଜ୍ୟର କିଛି ସସ୍ଥାନରେ ହାଲୁକା ବର୍ଷା ସହିତ ବିଜୁଳି, ଘଡଘଡି ହେବ । ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଯାହା ଫଳରେ ଦେଶରେ ତାପମାତ୍ରାରେ ୨-୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ।