ପଞ୍ଜାବ ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼ାଇ ଦେବା ଧମକ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ହରିୟାଣାର ଫରିଦାବାଦରୁ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଫରିଦାବାଦର ଶୁଭମ୍ ଦୁବେ ବୋଲି ଚିହ୍ନଟ କରାଯାଇଛି। ୧୪ ଜୁଲାଇରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (SGPC)କୁ ପଠାଯାଇଥିବା ଧମକପୂର୍ଣ୍ଣ ଇ-ମେଲ୍ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି।
ଘଟଣାକୁ ନେଇ ଅମୃତସର ପୋଲିସ କମିଶନର ଗୁରୁପ୍ରୀତ ସିଂହ ଭୁଲ୍ଲର କହିଛନ୍ତି ଯେ ୧୪, ୧୫ ଏବଂ ୧୬ ଜୁଲାଇରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (SGPC)କୁ ଏକ ଧମକପୂର୍ଣ୍ଣ ମେଲ୍ ପଠାଯାଇଥିଲା ଯେଉଁଥିରେ ଦରବାର ସାହିବକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଏହି ମେଲରେ ଦରବାର ସାହିବ ବ୍ୟତୀତ ମେଲରେ ଦିଲ୍ଲୀର ସ୍କୁଲ ଏବଂ ତାମିଲନାଡୁର ଅନେକ ପ୍ରତିଷ୍ଠାନର ଉଲ୍ଲେଖ ଥିଲା। ତେବେ ଗିରଫ ହୋଇଥିବା ଶୁଭମ ଦୁବେ ଜଣେ ସଫ୍ଟୱେର୍ ଇଞ୍ଜିନିୟର, ଯିଏ ଦୁଇଟି କମ୍ପାନୀରେ କାମ କରିବା ପରେ ଏବେ ବେକାର ଅଛନ୍ତି। ତାଙ୍କ ନିକଟରୁ ପୋଲିସ ଏକ ଲାପଟପ୍ ଏବଂ ଫୋନ୍ ମଧ୍ୟ ଜବତ କରିଛି । କମିଶନର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଇଞ୍ଜିନିୟରଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନାହିଁ। ଅଟକ ଅଭିଯୁକ୍ତ ଶୁଭମକୁ ପଚରାଉଚରା କରି ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ ଏହା ଏକ ସାଇବର ଆକ୍ରମଣ ଥିଲା ନା ଏହା ପଛରେ କୌଣସି ସଂଗଠିତ ନେଟୱାର୍କ କିମ୍ବା କଟ୍ଟରପନ୍ଥୀଙ୍କ ଷଡଯନ୍ତ୍ର ଅଛି।