ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ଆପତ୍ତିଜନକ କମେଡ଼ି କରି ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି ଷ୍ଟାଣ୍ଡ୍ଅପ୍ କମେଡ଼ିଆନ୍ କୁନାଲ କାମରା । ତାଙ୍କ ବିରୋଧରେ ଥାନା ମାମଲା ରୁଜୁ ହୋଇଛି । ଶିବ ସେନା ଏହାର ତୀବ୍ର ପତିବାଦ କରିବା ସହିତ ତାଙ୍କ ଷ୍ଟୁଡିଓରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ତେବେ କୁନାଲଙ୍କ ଏଭଳି କାରନାମା କିଛି ନୂଆ ନୁହେଁ । ପୂର୍ବରୁ ବାରମ୍ବାର ଏଭଳି କମେଡ଼ି କରି ସେ ବିବାଦକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଶ୍ୱ ହିନ୍ଦୁ ପରିଷଦ, ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଦେଇଛନ୍ତି ଆପତ୍ତି ଜନକ ମନ୍ତବ୍ୟ । ବାରମ୍ବାର ଅସଲି ଫଟୋ ଏବଂ ଭିଡ଼ିଓକୁ ଏଡିଟ୍ କରି ଚର୍ଚ୍ଚାକୁ ଆସିଛନ୍ତି । ଏମିତିକି ତାଙ୍କର ବିମାନ ଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗାଯାଇଛି ।
ଓଲା ସିଇଓ ଭାବିଶ ଅଗ୍ରୱାଲ ଓ କୁନାଲଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ବହୁବାର ଯୁକ୍ତିତର୍କ ହୋଇଛି । ଭାବିଶ ସୋସିଆଲ ମିଡିଆରେ ଓଲା ଗିଗାଫ୍ୟାକ୍ଟରିର ଏକ ଫଟୋ ସେୟାର କରିଥିଲେ । କିନ୍ତୁ ଏହାର ଜବାବରେ, କାମରା ଓଲା ଇଲେକ୍ଟ୍ରିକ୍ ସ୍କୁଟରର ଏକ ଫଟୋ ପୋଷ୍ଟ କରିଥିଲେ। ଏହି ସମସ୍ତ ସ୍କୁଟରଗୁଡ଼ିକ ସର୍ଭିସ୍ ସେଣ୍ଟରରେ ପାର୍କିଂ କରାଯାଇଥିଲା। ସେ କମ୍ପାନୀର ସେବା କେନ୍ଦ୍ରର ଅବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଉତ୍ତରରେ, ଭାବିଶ କହିଥିଲେ ଯେ ଯଦି ତୁମେ ଏତେ ଚିନ୍ତିତ ତେବେ ଆମକୁ ସାହାଯ୍ୟ କରିବାକୁ ଆସ। ମୁଁ ତୁମକୁ ଏହି 'ପେଡ୍ ଟ୍ୱିଟ୍' ଏବଂ ତୁମର ବିଫଳ କ୍ୟାରିଅର ଅପେକ୍ଷା ଅଧିକ ଟଙ୍କା ଦେବି। ନଚେତ୍, ଚୁପ୍ ରୁହ। ଆସନ୍ତୁ ପ୍ରକୃତ ଗ୍ରାହକଙ୍କ ସମସ୍ୟା ସମାଧାନ ଉପରେ ଧ୍ୟାନ ଦେବା।
ହାସ୍ୟ ଅଭିନେତା କୁନାଲ ଓ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ମଧ୍ୟରେ ବିବାଦ ହୋଇସାରିଛି । ୨୦୨୨ ମସିହାରେ ହରିୟାଣାର ଗୁରୁଗ୍ରାମରେ ତାଙ୍କର ଏକ କାର୍ଯ୍ୟକ୍ରମ ହେବାର ଥିଲା। କିନ୍ତୁ ବଜରଙ୍ଗ ଦଳ ଏବଂ ଭିଏଚପିର ବିରୋଧ ପରେ ଶୋ’କୁ ବାତିଲ କରିବାକୁ ପଡିଥିଲା । ସେ ଏହା ପରେ ଦ ହିନ୍ଦୁରେ ଏକ ଚିଠି ଲେଖି। କହିଥିଲେ ଯେ ସେ ଭିଏଚପି ଅପେକ୍ଷା ଜଣେ ବଡ଼ ହିନ୍ଦୁ ।
ଅର୍ଣ୍ଣବ ଗୋସ୍ୱାମୀଙ୍କ ବିବାଦ, ବିମାନ ଯାତ୍ରା ଉପରେ କଟକଣା
୨୦୨୦ରେ କୁନାଲ ଓ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ ମଧ୍ୟ ବିବାଦ ହୋଇଛି । ଇଣ୍ଡିଗୋ ବିମାନରେ ଅର୍ଣ୍ଣବ ଗୋସ୍ୱାମୀ ଓ କୁନାଲଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲେ । ଏହି ସମୟରେ ସେ ଅର୍ଣ୍ଣବ ଗୋସ୍ୱାମୀଙ୍କ ସାମ୍ବାଦିକତା ଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । କିନ୍ତୁ ଅର୍ଣ୍ଣବ ଗୋସ୍ୱାମୀ କୌଣସି ଜବାବ ଦେଇ ନଥିଲେ। ପରେ ଇଣ୍ଡିଗୋ କାମରାଙ୍କୁ ଛଅ ମାସ ପାଇଁ କଟକଣା ଲଗାଇଥିଲେ । ଏହା ପରେ ଏୟାର ଇଣ୍ଡିଆ, ସ୍ପାଇସଜେଟ୍ ଏବଂ ଗୋ ଏୟାର କାମରାଙ୍କ ବିମାନ ଯାତ୍ରା ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲଗାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓକୁ ଏଡିଟ୍ କରି କରିଥିଲେ ଭାଇରାଲ୍
ମଇ ୨୦୨୦ରେ, କୁନାଲ କାମରା ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମର ଏକ ମର୍ଫଡ୍ ଭିଡିଓ ସେୟାର କରିଥିଲେ। ଏହି ଭିଡିଓଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜର୍ମାନୀ ଗସ୍ତର ଥିଲା । ଭିଡିଓରେ, ଜଣେ ସାତ ବର୍ଷର ପିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଗୀତ ଗାଉଛନ୍ତି । କିନ୍ତୁ କାମରା ଭିଡିଓକୁ ଏଡିଟ୍ କରି ପିଲାଟିର ଗୀତକୁ "ପିପଲି ଲାଇଭ୍" ଫିଲ୍ମର "ମହଙ୍ଗାଇ ଡାୟନ୍ ଖାଏ ଜାତେ ହେ" ଗୀତ ସହିତ ବଦଳାଇ ଦେଇଥିଲେ। ପରେ, ଶିଶୁଟିର ପିତାଙ୍କ ଆପତ୍ତି ଏବଂ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅନୁରୋଧ ପରେ, କାମରା ଭିଡିଓଟିକୁ ଡିଲିଟ୍ କରିଦେଇଥିଲେ।
ସୁପ୍ରିମକୋର୍ଟ ଉପରେ ଅପମାନଜନକ ମନ୍ତବ୍ୟ
କୁନାଲ ମେ ୨୦୨୦ରେ ସୁପ୍ରିମକୋର୍ଟ ଉପରେ ବ୍ରାହ୍ମଣ-ବଣିଆ ମନ୍ତବ୍ୟ ଦେଇଥିଲେ। ଏହା ପରେ ତାଙ୍କ ବିରୋଧରେ ଅବମାନନା ଆବେଦନ ମଧ୍ୟ ଦାୟର କରାଯାଇଥିଲା। ଆବେଦନକାରୀ କାମରାଙ୍କ ମନ୍ତବ୍ୟକୁ ନ୍ୟାୟପାଳିକା ପ୍ରତି ଅପମାନଜନକ ବୋଲି କହିଥିଲେ । କାମରା ତାଙ୍କ ଶୋ' ବି ଲାଇକ୍ରେ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ।