ଖବର ଓଡ଼ିଶା: ନୀତୀଶ ସରକାରଙ୍କୁ ମୋଦୀ ସରକାରଙ୍କ ତରଫରୁ ଏକ ବଡ଼ ଝଟକା ଲାଗିଛି । କୌଣସି ପରିସ୍ଥିତିରେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବନି ବୋଲି ସିଧା ସିଧା ମନା କରିଦେଇଛି କେନ୍ଦ୍ର । ସେପଟେ ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଘେରିଛନ୍ତି ବିହାରର ପୂର୍ବତନ ମୂଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ।
ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଜେଡିୟୁ ଦାବି କରି ଆସୁଥିଲା । କିନ୍ତୁ ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର କୌଣସି ଯୋଜନା ନାହିଁ । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ନେଇ ଜେଡିୟୁ ସାଂସଦ ରାମପ୍ରୀତ ମଣ୍ଡଳ ସଂସଦରେ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଏହା ଉପରେ ଏକ ଲିଖିତ ଜବାବ ରଖିଛନ୍ତି । କେନ୍ଦ୍ର ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି ଯେ ବିହାର ଏକ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇପାରିବ ନାହିଁ । ବିହାର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପାଇଁ ମାନଦଣ୍ଡ ପୂରଣ କରୁନାହିଁ, ତେଣୁ ଏଭଳି ପରିସ୍ଥିତିରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ ।
କେନ୍ଦ୍ର ସରକାରଙ୍କ ଏହି ଉତ୍ତର ପରେ ବିହାରର ରାଜନୈତିକ ପାଣିପାଗ ସରଗରମ ହୋଇଛି । ବିହାରର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ ଉଭୟ ନୀତୀଶ କୁମାର ଏବଂ ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି । ଲାଲୁ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ଲାଲୁ କହିଛନ୍ତି ଯେ ନୀତୀଶ କୁମାର କହିଛନ୍ତି ଯେ ସେ ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦେବେ, କିନ୍ତୁ କେନ୍ଦ୍ର ସରକାର ମନା କରିଦେଇଛନ୍ତି । ନୀତୀଶ କୁମାର ତୁରନ୍ତ ଇସ୍ତଫା ଦେବା ଉଚିତ୍ ।