ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ସରକାର ବଦଳିବା ପରେ ଏବେ ଚିନ୍ତା ଆମ୍ ଆଦମୀ ପାର୍ଟି । ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲ ଶୋଚନୀୟ ପରାସ୍ତ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୁଖିଆଙ୍କୁ ଥଇଥାନ ପାଇଁ ଏବେ ଦଳର ଅଙ୍କ କଷା ଚାଲିଛି । ତେବେ ଏହାରି ମଧ୍ୟରେ ଏକ ବଡ଼ ଆଲୋଚନା ଜୋର ଧରିଛି । ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଆପ୍ ଦଳର ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରା ପଞ୍ଜାବ ପଶ୍ଚିମ ଲୁଧିଆନା ବିଧାନସଭା ଆସନରୁ ଉପ ନିର୍ବାଚନ ଲଢ଼ିବେ । ଦଳ ତାଙ୍କୁ ଏହି ଆସନ ପାଇଁ ଟିକେଟ୍ ଦେଇଛି । ତେଣୁ ତାଙ୍କ ସ୍ଥାନରେ କେଜ୍ରିୱାଲ ରାଜ୍ୟସଭାକୁ ଯାଇପାରନ୍ତି । ପଞ୍ଜାବରେ ବର୍ତ୍ତମାନ ଆମ ଆଦମୀ ପାର୍ଟିର ସରକାର ରହିଛି । ପ୍ରଥମେ କେଜ୍ରିୱାଲ ଏଠାରେ ମୁଖ୍ୟମନ୍ତ୍ରୀ ପଦ ଅକ୍ତିଆର କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଦଳ ଏବେ ଆଉ କୌଣସି ବିପଦକୁ ଡାକିବାକୁ ଚାହୁଁ ନାହିଁ । ତେଣୁ କେଜ୍ରିୱାଲ ରାଜ୍ୟସଭା ଯାଇପାରନ୍ତି ।
ଅନ୍ୟପକ୍ଷରେ ଗଣମାଧ୍ୟମର ଏହି ଖବରକୁ ଖଣ୍ଡନ କରିଛନ୍ତି ଆପ ମୁଖପାତ୍ର ପ୍ରିୟଙ୍କା କକ୍କର । ସେ କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ରାଜ୍ୟସଭାକୁ ଯିବେ ନାହିଁ। ଅରବିନ୍ଦ କେଜରିୱାଲଙ୍କ ବିଷୟରେ ପୂର୍ବରୁ ଗଣମାଧ୍ୟମ ସୂତ୍ର କହୁଥିଲା ଯେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ। ଏବେ ଗଣମାଧ୍ୟମ ସୂତ୍ର କହୁଛି ଯେ ସେ ରାଜ୍ୟସଭାରୁ ନିର୍ବାଚନ ଲଢ଼ିବେ । ଏହି ଦୁଇଟି ତଥ୍ୟ ସମ୍ପୂର୍ଣ୍ଣ ଭୁଲ ଅଟେ । ସେ ଆହୁରି କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ଆମ ଆଦମୀ ପାର୍ଟି (ଆପ୍)ର ଜାତୀୟ ସଂଯୋଜକ। ମୁଁ ସହମତ ଯେ ତାଙ୍କର ଚାହିଦା ବହୁତ ଅଧିକ, କିନ୍ତୁ ସେ କୌଣସି ଗୋଟିଏ ଆସନରେ ସୀମିତ ନୁହଁନ୍ତି।