ଆଗ୍ରା: ମହାଶିବରାତ୍ରୀରେ ଆଗ୍ରାସ୍ଥିତ ତାଜମହଲରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ମହିଳା ତାଜମହଲ ପରିସରରେ ଶିବ ଲିଙ୍ଗରେ ଜଳାଭିଷେକ କରୁଥିବାର ଦେଖାଯାଇଛି । ମହିଳା ଜଣକ ହେଲେ ଅଖିଳ ଭାରତ ହିନ୍ଦୁ ମହାସଭାର ମହିଳାର ମୋର୍ଚ୍ଚାର ଜିଲ୍ଲା ଅଧ୍ୟକ୍ଷ ମୀରା ରାଠୋର୍ ।
ମୀରା ରାଠୋର ପ୍ରୟାଗରାଜରୁ ମହାକୁମ୍ଭରୁ ଗଙ୍ଗା ଜଳ ଆଣିଥିଲେ । ସେହି ଜଳରେ ଶିବ ଲିଙ୍ଗରେ ଜଳାଭିଷେକ କରିବେ ବୋଲି ପ୍ରତିଜ୍ଞା କରିଥିଲେ । ନିଜର ପ୍ରତିଜ୍ଞା ରକ୍ଷା କରିବାକୁ ଯାଇ ସେ ତାଜମହଲରେ ଶିବ ଲିଙ୍ଗରେ ପାଣି ଢାଳିଛନ୍ତି । ପ୍ରଥମେ ତାଜମହଲ ପରିସରରେ ଏକ ସ୍ଥାନକୁ ଧୋଇଥିଲେ ଏବଂ ଏହା ପରେ ଶିବ ଲିଙ୍ଗ ରଖି ଗଙ୍ଗା ଜଳ ଚଢ଼ାଇଥିଲେ । ଆଉ ଏହାର ଭିଡ଼ିଓ ଏବଂ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି ।
ମୀରା ରାଠୋର କହିଛନ୍ତି ଯେ ଆଜି ମହାଶିବରାତ୍ରି । ସାଧୁ, ସନ୍ଥ, ଦେବତା ଏବଂ ସମଗ୍ର ବ୍ରହ୍ମାଣ୍ଡ ସ୍ନାନ କରୁଛନ୍ତି । ଭୋଳା ବାବା ସ୍ନାନ ନ କରି ତେଜୋହାଳୟ ଭିତରେ କିପରି ରହିପାରିବେ ? ଇଣ୍ଟରନେଟ୍ ମିଡିଆରେ ମୀରା ରାଠୋରଙ୍କ ଅନେକ ଭିଡିଓ ପ୍ରସାରିତ ହେଉଛି । ଯେଉଁଥିରେ ସେ ତାଜମହଲରେ ଭଗବାନ ଶିବଙ୍କ ଅଭିଷେକ କରୁଥିବାର ଦେଖାଯାଉଛି । ଶ୍ରାବଣ ମାସର ଆରମ୍ଭରେ, ସେ ତାଜମହଲରେ ଗେରୁଆ ପତାକା ଉତ୍ତୋଳନ କରିବାବେଳେ ଧରାପଡ଼ିଥିଲେ।