ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ବିଭିନ୍ନ ଶୈବ ପୀଠରେ ଚାଲିଛି ଦେବ ଦେବ ମହାଦେବଙ୍କ ଆରାଧନା । ଏହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଭଗବାନ ମହାଦେବଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ ଏବଂ ଆମ ଦେଶ ପ୍ରଗତି ପଥରେ ଆଗକୁ ବଢ଼ୁ ବୋଲି ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭଗବାନ ଭୋଳାନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପବିତ୍ର ମହାଶିବରାତ୍ରିର ପର୍ବରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା । ଏହି ଦିବ୍ୟ ଅବସର ଆପଣମାନଙ୍କ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ଏବଂ ଏକ ବିକଶିତ ଭାରତ ପାଇଁ ସଂକଳ୍ପକୁ ଆହୁରି ମଜବୁତ କରୁ, ଏହା ମୋର ଆଶା । ହର୍ ହର୍ ମହାଦେବ !