ରାଞ୍ଚୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭା ସାଂସଦ ମହୁଆ ମାଝୀଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ମହୁଆ ମାଝୀଙ୍କ ସହିତ ତାଙ୍କ ପରିବାର ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ମହୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଛି । ଏହା ସହିତ ତାଙ୍କ ପୁଅ ସୋମ୍ବିତ ମାଝୀ (୪୨), ବୋହୂ କୃତୀ ଶ୍ରୀବାସ୍ତବ (୩୬) ଓ ଡ୍ରାଇଭର୍ ଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ରହିଛି । ମହୁଆଙ୍କୁ ରାଞ୍ଚୀର ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମହୁଆ ମାଝୀ ତାଙ୍କ ପୁଅ ଏବଂ ବୋହୂଙ୍କ ସହିତ କୌଣସି କାମରେ ଯାଇଥିବାବେଳେ ହୌଟବାଗ ଥାନା ଅନ୍ତର୍ଗତ ୭୫ ନମ୍ବର ଜାତୀୟ ରାଜପଥ ଉପରେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଜାତୀୟ ରାଜପଥ ଉପରେ ଥିବା ଖୁସବୁ ଢାବା ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ମହୁଆଙ୍କ କାର୍ ଧକ୍କା ଦେଇଥିଲା । ଫଳରେ ମହୁଆଙ୍କ ସହିତ ପୁଅ ସୋମ୍ବିତ, ବୋହୂ କୃତୀ ଏବଂ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ ।
ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ଲାତେହାର ପୋଲିସ ଇନ୍ସପେକ୍ଟର ତଥା ଷ୍ଟେସନ ଇନଚାର୍ଜ ଦୁଲାଦ ଚୌଧୁରୀ ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଲାତେହାରର ସଦର ହସ୍ପିଟାଲକୁ ପଠାଇଥିଲେ । ସେଠାରେ ଡାକ୍ତର ସୁନୀଲ କୁମାର ଭଗତ ପ୍ରାଥମିକ ଚିକିତ୍ସା ଦେବା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଞ୍ଚି ରିମ୍ସକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ମହୁଆଙ୍କ ହାତରେ ଗଭୀର ଆଘାତ ଲାଗି ଭାଙ୍ଗି ଯାଇଥିବା ଜଣାପଡ଼ିଛି ।
ତେବେ ଲାତେହାର ସଦର ମେଡ଼ିକାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଦେବାରେ ବିଳମ୍ବ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ରାଞ୍ଚୀ ପଠାଇବାକୁ ଆମ୍ବୁଲାନ୍ସ ପାଇଁ ପ୍ରାୟ ଏକ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା ବୋଲି ଅଭିଯୋଗ ହୋଇଛି ।